34.1 C
Bhubaneswar
Saturday, February 21, 2026
Homeଓଡିଶାରାଜ୍ୟ ବଜେଟକୁ ନେଇ ରାଜ୍ୟ ସରକାରଙ୍କ
ଉପରେ ବର୍ଷିଲା ବିଜେଡି

ରାଜ୍ୟ ବଜେଟକୁ ନେଇ ରାଜ୍ୟ ସରକାରଙ୍କ
ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବିଧାନସଭାରେ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ, ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି ଅଭିହିତ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେବା ପରେ ରାଜ୍ୟର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାର କରି ଓଡିଶାକୁ ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।

କୃଷକ ମାନଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ କି ଆନ୍ତରିକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରିମାଣକୁ କମାଇ ଦିଆଯାଇଛି । ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଅନେକ ଯୋଜନା ଘୋଷଣା କରିଛନ୍ତି, କିନ୍ତୁ ଅର୍ଥ ପ୍ରଦାନ କରାଯାଇନାହିଁ । ମୁଙ୍ଗେରିଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିଛି, କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁନାହିଁ, ବରଂ କମୁଛି । ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନ କମିବାରେ ଲାଗୁଛି । ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ବଜେଟଟି ହେଉଛି ଅନ୍ତସାର ଶୂନ୍ୟ ବଜେଟ । ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ । ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ । କିନ୍ତୁ ଋଣବୋଝ ବଢ଼ାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍କୁ ନେଇଯାଉଛି । ବିଡ଼ମ୍ୱନାର ବିଷୟ ଯେ, ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ । ବିତ୍ତୀୟ ନିଅଣ୍ଟ ୧.୭%ରୁ ୩.୫%କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ, ବିଦ୍ୟାଳୟ ଓ ଗଣଶିକ୍ଷା ଇତ୍ୟାଦି ବିଭାଗରେ ରାଜ୍ୟ ସରକାର ଚଳିତ ବଜେଟରେ ଅର୍ଥ କମାଇ ଦେଇଛନ୍ତି । ଏପରିକି ସରକାର ନିଜେ ଘୋଷଣା କରିଥିବା ଫ୍ଲାଗ୍ସିପ ଯୋଜନା ଗୁଡିକ ଆରମ୍ଭ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କଥା ନିଆଯାଇପାରେ, ଯାହା ଇଞ୍ଚଟିଏ ମଧ୍ୟ ଏପର୍ଯ୍ୟନ୍ତ ଆଗେଇ ପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking