ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ତାଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମହାନଦୀରୁ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ ଅବୈଧ ଭାବେ ପାଣିକୁ ରୋକି ଶିଳ୍ପ ଅନୁଷ୍ଠାନ ଗୁଡିକୁ ବିକ୍ରି କରି ଚାଲିଛି ବୋଲି ବିଜେଡି ଅଭିଯୋଗ କରିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ । ସରକାର ଦ୍ୱନ୍ଦ୍ୱରେ ଅଛନ୍ତି । ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ । ପୁଣି ଟ୍ରିବୁ୍ୟନାଲକୁ ଯିବାକଥା କୁହାଗଲା, କିନ୍ତୁ ଟ୍ରିବୁ୍ୟନାଲର ଅବଧିକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଧାରିତ ସମୟ ଭିତରେ ଚିଠି ଲେଖାଗଲା ନାହିଁ, ଯେଉଁଥି ପାଇଁ ଟ୍ରିବୁ୍ୟନାଲ ସରକାରଙ୍କୁ ଭର୍ତ୍ସନା କଲେ ।
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହାନଦୀ ଜଳ ବିବାଦକୁ ସମାଧାନର ସୂତ୍ର ବାହାର କରିବା ପରିବର୍ତ୍ତେ ପରିସ୍ଥିତିକୁ ଅଧିକ ଗୋଳିଆ କରୁଛନ୍ତି । ସରକାର କେବଳ ବୟାନବାଜିରେ ବ୍ୟସ୍ତ ଅଛନ୍ତି । ଗତ ୧୯ ମାସରେ ଛତିଶଗଡ଼ ଏକାଧିକ ଚେକ୍ ଡ୍ୟାମ ଓ ବାଲିବନ୍ଧ ନିର୍ମାଣ କରିଛି, ଯାହା ପରିସ୍ଥିତିକୁ ଅଧିକ ଜଟିଳ କରିଛି । ନବୀନ ସରକାରଙ୍କ ସମୟରେ ଏହି ବିବାଦ ଦେଖା ଦେବା ପରେ, ପ୍ରଥମେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଛତିଶଗଡ଼ ସରକାରଙ୍କ ଅସହଯୋଗ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା କାରଣରୁ ଏହି ବିବାଦର ସମାଧାନ ବାହାରି ପାରି ନଥିଲା । ଏହାପରେ ଓଡିଶା ସରକାର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ ଓ ସର୍ବୋଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ଟ୍ରିବୁ୍ୟନାଲର ଗଠନ ହୋଇଥିଲା । ଭାରତର ଇତିହାସକୁ ଅବଲୋକନ କଲେ, ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଜଳ ବିବାଦ କେବେ ବି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହେବାର ନଜିର ନାହିଁ । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି । ନା ଆପୋସ ଆଲୋଚନା ଦିଗରେ ନା ଟ୍ରିବୁ୍ୟନାଲ ମାଧ୍ୟମରେ, ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରକାର ଇଞ୍ଚେଟିଏ ମଧ୍ୟ ଅଗ୍ରସର ହୋଇ ନାହାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗଠନ କରାଯାଇଥିବା ମନ୍ତ୍ରୀସ୍ତରୀୟ କମିଟି କେବଳ ନିଜ ସଦସ୍ୟ ମାନଙ୍କ ସହିତ ଦୁଇଟି ବୈଠକ କରିଛି । ଏହି ମନ୍ତ୍ରୀସ୍ତରୀୟ କମିଟି ସହିତ ସମସ୍ତ ରାଜନୈତିକ ଦଳ ଓ ସମସ୍ତ ଷ୍ଟେକହୋଲଡରଙ୍କ ବୈଠକ ହେବ ବୋଲି ଦିନ ସ୍ଥିର କରାଯାଇଥିଲା, ଯାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା ।ଶ୍ରୀ ଆଚାର୍ଯ୍ୟ କହିଥିଲେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ, ରାଜ୍ୟ ବିଜେପି ସରକାର ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ବସିଛି । ଛତିଶଗଡ଼ ଓଡିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ନାହିଁ । ଛତିଶଗଡ଼ ଏବେ ଅଧିକ ଜଳ ରୋକିବା ପାଇଁ ତଳ ଅଞ୍ଚଳରେ ଓ ଉପ ନଦୀରେ ମଧ୍ୟ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରୁଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ପାଣି ମୁନ୍ଦିଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି, ଆର ପଟରେ ଛତିଶଗଡ଼ ଶିଳ୍ପକୁ ଜଳ ବିକ୍ରି କରୁଛି । ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପରିବର୍ତ୍ତେ, ରାଜ୍ୟ ବିଜେପି ସରକାର ନାଟକବାଜି କରୁଛନ୍ତି । ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମନ୍ତ୍ରୀ ସ୍ତରୀୟ କମିଟିରେ ସେ ସଦସ୍ୟ ରୂପେ ମନୋନୀତ ହୋଇଥିବାରୁ, ହୋଇଥିବା ଦୁଇଟି ବୈଠକରେ ସେ ଯୋଗ ଦେଇଥିଲେ । ଦ୍ୱିତୀୟ ବୈଠକରେ ସର୍ବଦଳୀୟ ଓ ଷ୍ଟେକହୋଲଡରଙ୍କ ସହ ଜାନୁଆରୀ ୨୩ ତାରିଖରେ ବୈଠକ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କୌଣସି କାରଣ ପାଇଁ ଏହାକୁ ବାତିଲ କରି ଦିଆଯାଇଥିଲା । ଏହାଛଡା ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜାନୁଆରୀ ୩୧ ତାରିଖରେ ଛତିଶଗଡ଼ ଯାଇ ସେଠାରେ ସେମାନଙ୍କ ଏକ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ସହିତ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା, ଯାହାକୁ ମଧ୍ୟ ବାତିଲ କରି ଦିଆଯାଇଛି । ବର୍ତ୍ତମାନ ଓଡିଶା, ଛତିଶଗଡ଼ ଓ କେନ୍ଦ୍ରରେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ, ଏହାର ସମାଧାନ ସମ୍ଭବ ହୋଇପାରିବ ବୋଲି ଯେଉଁ ଆଶା ଦେଖା ଯାଉଥିଲା, କିନ୍ତୁ ସେ ଦିଗରେ ସେପରି କିଛି ଅଗ୍ରଗତି ହୋଇନାହିଁ ।










