ଭୁବନେଶ୍ୱର: ବିଜୁ ଜନତା ଦଳ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବା ପରେ ଉକ୍ତ ଦଳର ନେତାମାନେ ମାନସିକ ଅବସାଦରେ ଅଛନ୍ତି । ସେ ଦୃଷ୍ଟିରୁ ସେମାନେ କ’ଣ ବୟାନବାଜି କରୁଛନ୍ତି ଜାଣି ପାରୁନାହାନ୍ତି । ବିଜେଡି ଓଡ଼ିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ ହେବାକୁ ଯାଉଛି, ଏହାର ପ୍ରତିଫଳନ ତାର ବିଭିନ୍ନ ବୟାନବାଜିରୁ ଦେଖିବାକୁ ମିଳିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନିର୍ବାଚନର ଦୀର୍ଘଦିନ ପରେ ବିଜେଡି ଏବେ ଇଭିଏମ୍ ଓ ୧୭ସି ଫର୍ମ ପ୍ରସଙ୍ଗ ଉଠାଇଛି । ଯେବେଠାରୁ ଇଭିଏମ୍ ଦେଶରେ ଲାଗୁହୋଇଛି, ତା’ପରଠାରୁ ହୋଇଥିବା ୫ ନିର୍ବାଚନରୁ ୪ଟିରେ ବିଜେଡି ବିଜୟୀ ହୋଇଛି । ଜିତିବାବେଳେ ସେମାନେ ଇଭିଏମ୍ ଉପରେ କୌଣସି ପ୍ରଶ୍ନ କରୁ ନ ଥିବାବେଳେ ଏବେ ହାରିବା ପରେ ଭୁଲ ବୋଲି କହି ମିଛରେ କାହିଁକି ପ୍ରଳାପ କରୁଛି ତାର ଉତର ବିଜେଡି ଦେଉ । ନିର୍ବାଚନରେ ଭୋଟ୍ଦାନ ବେଳେ ଯେଉଁମାନେ ବୁଥ୍ରେ ଏଜେଂଟ ଥାନ୍ତି ସେମାନେ ଉକ୍ତ ବୁଥ୍ରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କଠାରୁ ୧୭ସି ଫର୍ମ ଆଣିଥାନ୍ତି ।
ଗତ ସାଧାରଣ ନିର୍ବାଚନରେ ପାଖାପାଖି ୩୭,୮୦୦ ବୁଥ୍ ଥିଲା । ସେସମୟରେ ଏସମସ୍ତ ବୁଥ୍ରେ ବିଜେଡିର ୩୭,୮୦୦ ଏଜେଂଟ ରହିବା କଥା । ଆଉ ଯଦି ଲୋକସଭା, ବିଧାନସଭାକୁ ମିଶାଇ ଦିଆଯାଏ ତାହେଲେ ପ୍ରାୟ ୭୫,୦୦୦ ଏଜେଂଟ ବିଭିନ୍ନ ବୁଥ୍ରେ ରହିବା କଥା । ମାତ୍ର କୌଣସି ବୁଥ୍ରେ ଜଣେ କେହି ଏଜେଂଟ ୧୭ସି ଫର୍ମ କାହିଁକି ମିଳିଳା ନାହିଁ ବୋଲି ପ୍ରଶ୍ନ ଉଠାଇଲେ ନାହିଁ । ନିର୍ବାଚନ ଶେଷ ହେବାର ଅନେକ ଦିନ ପରେ ଏବଂ ହାରିଯିବା ପରେ ଏବେ ଏହି ପ୍ରଶ୍ନ ଉଠାଇବା କେତେଦୂର ଠିକ୍ ତାହା ଓଡ଼ିଶାବାସୀ ବିଚାର କରିବେ । ଯଦି ସେମାନଙ୍କ ପାଖରେ ତଥ୍ୟ ରହିଛି, ଭାରତ ବର୍ଷର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏବିଷୟକୁ ସେମାନେ ଉଚ୍ଚ ନ୍ୟାୟାଳୟ କିମ୍ବା ଉଚ୍ଚତମ ନ୍ୟାୟାଳୟକୁ ନେଇପାରିବେ । ମାତ୍ର ବିଜେଡି ସେପରି ନ କରି ଗଣମାଧ୍ୟମରେ ଶସ୍ତା ମନ୍ତବ୍ୟ ଦେଉଛି । ଉଚ୍ଚତମ ନ୍ୟାୟାଳୟ ପୂର୍ବରୁ କହିସାରିଛନ୍ତି ଯେ, ଇଭିଏମ୍ ଟାମ୍ପରିଂ ହେବାର କୌଣସି ପ୍ରମାଣ ତାଙ୍କୁ ହସ୍ତଗତ ହୋଇନାହିଁ । ଏପରିକି ଇଭିଏମ୍ ଟାମ୍ପରିଂ ହୋଇପାରିବ ନାହିଁ ବୋଲି କହିଛନ୍ତି । ଯଦି ଉଚ୍ଚତମ ନ୍ୟାୟାଳୟ ଭୁଲ୍ ବୋଲି ପ୍ରମାଣ କରିବା ପାଇଁ ବିଜେଡି ପାଖରେ ତଥ୍ୟ ଅଛି, ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟରେ ତଥ୍ୟ ଦେବା ଆବଶ୍ୟକ ।
ବିଜେଡି ପୁଣି ଆରୋପ ଲଗାଇଛି ଯେ, ସରକାରୀ କର୍ମଚାରୀଙ୍କୁ ଲଗାଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି । ୨୦୨୪ ମସିହା ପୂର୍ବରୁ ଓଡ଼ିଶାରେ ବିଜେଡିର ସରକାର ଥିଲା ।
ସେତେବେଳେ ଓଡ଼ିଶା ସରକାରଙ୍କ କର୍ମଚାରୀମାନେ ନିର୍ବାଚନକୁ ପରିଚାଳନା କରୁଥିଲେ । ସେତେବେଳେ କିପରି ବିଜେଡି ନିର୍ବାଚନ ଜିତୁଥିଲା? ଯେଉଁ କର୍ମଚାରୀମାନେ ନିର୍ବାଚନକୁ ପରିଚାଳନା କରନ୍ତି, ସେମାନେ କୌଣସି ଦଳ ହିସାବରେ କାର୍ଯ୍ୟ କରନ୍ତି ନାହିଁ । କାରଣ ରାଜନୈତିକ ଦଳଗୁଡ଼ିକର ସରକାର ଆସେ ଏବଂ ଯାଏ, ମାତ୍ର କର୍ମଚାରୀମାନେ ସ୍ଥାୟୀ ରହିଥାନ୍ତି । ଏପ୍ରକାର କର୍ମଚାରୀଙ୍କ ଉପରେ ଆକ୍ଷେପ କରିବା ନିଜ ପରାଜୟର ଦୋଷ ସେମାନଙ୍କ ଉପରେ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏପ୍ରକାର ମନ୍ତବ୍ୟକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ଏବଂ ସରକାରୀମାନେ କର୍ମଚାରୀମାନେ କେବେ ଗ୍ରହଣ କରିବେ ନାହିଁ । ଯଦି ବିଜେଡି ପାଖରେ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ତଥ୍ୟ ରହିଛି, ତାହାକୁ ସାର୍ବଜନୀନ କରିବା ଆବଶ୍ୟକ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ମଧ୍ୟ ଭାରତର ସମ୍ବିଧାନରେ ରହିଛି । ମାତ୍ର ବିଜେଡି କୌଣସି ତଥ୍ୟ ନ ଦେଇ ମଝିରେ ମଝିରେ ଗଣମାଧ୍ୟମ ସମ୍ମୁଖରେ ବିଳିବିିଳି ହେଉଛି । ଏହା ଆଦୌ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ନିର୍ବାଚନ ପରବର୍ତୀ ସମୟରେ ବିଜେଡିରେ ଗୃହଯୁଦ୍ଧ ଚାଲିଥିବାବେଳେ ଉକ୍ତ ଦଳର କାର୍ଯ୍ୟକର୍ତାମାନେ ପ୍ରତିଦିନ ଦଳ ଛାଡ଼ି ବିଜେପିରେ ଯୋଗଦେଉଛନ୍ତି । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଗଣମାଧ୍ୟମ ଜରିଆରେ ବିଜେଡି ଏପ୍ରକାର ନାଟକ କରୁଛି ।
ସେହିପରି ଏସ୍ଆଇଆର୍ ଉପରେ ବିଜେଡି ଯେଉଁ ପ୍ରଶ୍ନ ଉଠାଇଛି ପ୍ରଥମେ ଜାଣିବା ଦରକାର ଯେ, ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ଦେଶରେ ୯ ଥର ଏସ୍ଆଇଆର୍ ହୋଇସାରିଛି ।
ମତଦାତା ସୂଚୀକୁ ସମୀକ୍ଷା କରିବା, ସଂଶୋଧନ କରିବା ଦାୟିତ୍ୱ ନିର୍ବାଚନ କମିଶନ ପାଖରେ ରହିଛି । ଏହାକୁ ବିିଜେଡି ବିରୋଧ କରୁଥିବାରୁ ଜଣାପଡୁଛି ଯେ, ଗଣତନ୍ତ୍ର ଉପରେ ତାର ଆଉ ଭରସା ନାହିଁ । ଗଣତନ୍ତ୍ର ମାଧ୍ୟମରେ ଦେଶ ଓ ରାଜ୍ୟ ଚାଲୁ ଏହା କ’ଣ ବିଜେଡି ଚାହୁନାହିଁ ? ଆଉ ଏକ ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇଛି ଯେ, ଦେଶର ନାଗରିକମାନଙ୍କ ତଥ୍ୟ ଭାରତ ସରକାରଙ୍କ ପାଖରେ ରହିଯାଉଛି । ଦେଶର ଭୋଟର କିଏ, ଏହି ତଥ୍ୟ ଭାରତ ସରକାରଙ୍କ ପାଖରେ ନ ରହି କ’ଣ ବିଦେଶୀଙ୍କ ପାଖରେ ରହିବ? ଏହି ଦେଶ ଧର୍ମଶାଳା ନୁହଁ ଯେ, ଯିଏ ଆସିବ ରହିବ ତାହାର କୌଣସି ହିସାବ କାହା ପାଖରେ ନ ଥିବ । ବିଜେଡିର ଏଭଳି ହୀନ ମାନସିକତା କାରଣରୁ ତାକୁ ଆଜି ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବିଜୁ ଜନତା ଦଳ ବିନା କ୍ଷମତାରେ ରହିପାରେ ନାହିଁ ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।










