17.1 C
Bhubaneswar
Wednesday, January 14, 2026
Homeଓଡିଶାମନ୍ତ୍ରୀମଣ୍ଡଳରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗଙ୍କ ବହିଷ୍କାର ଦାବୀ କଲା ବିଜେଡି

ମନ୍ତ୍ରୀମଣ୍ଡଳରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗଙ୍କ ବହିଷ୍କାର ଦାବୀ କଲା ବିଜେଡି

– ୧୯୮୯ରେ ସରକାରୀ ଚାକିରୀରେ ଯୋଗଦେବା ସମୟରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ
– ସରକାରଙ୍କ ଚାପରେ, ଆରଡିସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କ ନାଁରେ ମିଥ୍ୟା ଜାତିଗତ ସାର୍ଟିଫିକେଟ ଦେଇ ସରକାରୀ ଚାକିରୀ ହାସଲ କରିଥିବା ଭଳି ଗୁରୁତର ଅଭିଯୋଗ କରି ବିଜୁ ଜନତା ଦଳ ମନ୍ତ୍ରୀ ମଣ୍ଡଳରୁ ତାଙ୍କୁ ବହିଷ୍କାର ଦାବୀ କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ କହିଥିଲେ, ଶ୍ରୀ ମହାଲିଙ୍ଗ ସ୍କୁଲରେ ପଢିବା ସମୟରେ ୧୯୭୮ ମସିହାରେ ଓ ରାଜ୍ୟ ସରକାରଙ୍କ ସଂସ୍ଥା ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡରେ ୧୯୮୯ ମସିହାରେ ଆସିଷ୍ଟାଣ୍ଟ ସାଇଣ୍ଟିଫିକ ଅଫିସର ଭାବେ ଯୋଗ ଦେବା ସମୟରେ କେଉଟ ଜାତିର ହୋଇଥିବା ଦର୍ଶାଇ ଅନୁସୂଚିତ ଜାତି ବର୍ଗର ବୋଲି ଜାତି ପ୍ରମାଣପତ୍ର ଦାଖଲ କରିଥିଲେ। କିନ୍ତୁ, କେଉଟ ମାନଙ୍କୁ ଅନୁସୂଚିତ ଜାତି ବର୍ଗରେ ସାମିଲ ପ୍ରକ୍ରିୟା ୧୭.୧୨.୨୦୦୨ ଦିନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଯଦି କେଉଟ ବର୍ଗର ଲୋକଙ୍କୁ ଅନୁସୂଚିତ ଜାତିରେ ୨୦୦୨ ମସିହାରେ ସାମିଲ କରାଗଲା, ତାହେଲେ ଶ୍ରୀ ମହାଲିଙ୍ଗ କିପରି ତା ପୂର୍ବରୁ ଅନୁସୂଚିତ ଜାତିର ବୋଲି ପ୍ରମାଣପତ୍ର ଦାଖଲ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶ୍ରୀ ମହାଲିଙ୍ଗ ମିଛ ଜାତି ପ୍ରମାଣପତ୍ର ଦାଖଲ କରି ସରକାରୀ ଚାକିରୀ ହାତେଇଥିଲେ।

ଶ୍ରୀ ଦିଶାରୀ କହିଥିଲେ, ଶ୍ରୀ ମହାଲିଙ୍ଗଙ୍କ ବିରୋଧରେ ଆରଡିସିଙ୍କ ନିକଟରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀ ତାଙ୍କର ରିପୋର୍ଟ ଦାଖଲ କରି ସାରିଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଚାପରେ ଆରଡିସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ତେଣୁ, ଜଣେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ ହାସଲ କରିଥିବା ଶ୍ରୀ ମହାଲିଙ୍ଗ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦିଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜୁ ଜନତା ଦଳ ଦାବୀ କରୁଛି। ତାଛଡା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ କରିଥିବା ଚାକିରୀ ସମୟରେ ସେ ନେଇଥିବା ଦରମା ଓ ଅନ୍ୟାନ୍ୟ ସୁବିଧା ତାଙ୍କ ଠାରୁ ଆଦାୟ କରାଯାଉ ବୋଲି ଶ୍ରୀ ଦିଶାରୀ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking