14.1 C
Bhubaneswar
Thursday, January 15, 2026
Homeଓଡିଶାପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି

ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ଝାରସୁଗୁଡ଼ା କିର୍ମିରା ଅନାସ୍ଥା ଭୋଟରେ ତାଙ୍କ ଦଳର ପରାଜୟ ନିଶ୍ଚିତ ବୋଲି ଜାଣି ନିର୍ବାଚନ ନକରାଇଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ଷଡ଼ଯନ୍ତ୍ରରେ ଓଡ଼ିଶା ଓ ଛତିଶଗଡ଼ ପୁଲିସକୁ ସାମିଲ କରାଯାଇଛି। ପଞ୍ଚାୟତ ପ୍ରତିନିଧିଙ୍କୁ ପୁଲିସ ଦ୍ୱାରା ଜୋର ଜବରଦସ୍ତ ଅଟକ ରଖି ସେମାନଙ୍କୁ ଅନାସ୍ଥା ଭୋଟରୁ ବିରତ ରଖିଥିଲେ। ନିର୍ବାଚିତ ପ୍ରତିନିଧିମାନେ ସ୍ୱଇଚ୍ଛାରେ ଆସିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଛାଡିନଥିଲେ। ବିଜେପି ଏବେ ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି। ଶନିବାର ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଦୀପାଳି ଦାସ କହିଛନ୍ତି ଯେ ପ୍ରଥମେ ସେମାନେ ଅନାସ୍ଥା ଭୋଟ ନହେଉ ବୋଲି ଚାହୁଁଥିଲେ। ସେଥିପାଇଁ କିର୍ମିରା ପଞ୍ଚାୟତର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧିମାନେ ଅନାସ୍ଥା ନୋଟିସ ଦେବା ସତ୍ତ୍ୱେ ପ୍ରଶାସନ ଅନାସ୍ଥା ଭୋଟ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିଲା। ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ଜାନୁଆରୀ ୧୦ ତାରିଖ ସୁଦ୍ଧା ନିର୍ବାଚନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆସନ୍ନ ଜାଣି ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା। ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁଆରୀ ୮ ତାରିଖରେ ଧମକ ଚମକ ଦେଇଥିଲେ। ଜାନୁଆରୀ ୯ ତାରିଖରେ ଲଇକେରା ଥାନା ଅଧିକାରୀ ଲଜ୍‌କୁ ଯାଇ ବେଆଇନ୍ ଭାବେ ଯାଞ୍ଚ କରିଥିଲେ ବୋଲି ଦୀପାଳି କହିଛନ୍ତି।ସେ ଆହୁରି କହିଛନ୍ତି, ଲଜ୍‌ଟି ମୋ’ ଭାଇଙ୍କ ମାଲିକାନାରେ ଅଛି। ଏନେଇ ଆଇଜିଙ୍କୁ ଭେଟି ଆଲୋଚନା କରିଥିଲୁ। କିନ୍ତୁ ତା’ପର ଦିନ ଛତିଶଗଡ଼ ଯାଇ ହୋଟେଲ୍‌ରେ ଯାଞ୍ଚ କଲେ। ମିସିଂ କେସ୍ ଦର୍ଶାଇ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଟକ ରଖା ଯାଇଥିଲା। ମୋ ଭାଇ ଖବର ପାଇ ହୋଟେଲ୍‌କୁ ଯାଇଥିଲେ। କିନ୍ତୁ ହୋଟେଲ୍‌ଆଗରେ ପହଞ୍ଚିଲା ବେଳକୁ ଶଟର ପଡିଥିଲା। ଛତିଶଗଡ଼ ପୁଲିସ୍ ମୁତୟନ ଥିଲେ। ମୋ ଭାଇ ବିଶାଲ ଯେତେବେଳେ ପୁଲିସକୁ ପଚାରିଲେ କାହିଁକି ଅଟକ ରଖାଯାଇଛି, ସେତେବେଳେ ପୁଲିସ୍ କହିଲା ଉପରୁ ଅର୍ଡର ଆସିଲେ ଛାଡିବୁ। କାହା ଅର୍ଡ଼ରକୁ ଅପେକ୍ଷା ଥିଲା? ହାରିବା ଭୟରେ ଏଭଳି ଘୃଣ୍ୟ କାମ କଲେ ସରକାର। ଆମ ପରିବାର ସହ ଯାହା ଘଟିଛି, ତାହା ସମସ୍ତଙ୍କୁ ଜଣା। ଏବେବି ଆମ ପରିବାରକୁ ଟାର୍ଗେଟ କରାଯାଉଛି ବୋଲି ଦୀପାଳି କହିଛନ୍ତି।

ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର କହିଥିଲେ, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ ହୋଇଛି ଓ ଅତିଶୀଘ୍ର ଏହି ଟିମ୍ ସେଠାକୁ ଯିବ ଓ ସମଗ୍ର ଘଟଣାର ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking