23.1 C
Bhubaneswar
Monday, December 22, 2025
Homeଓଡିଶାପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ: ବିଜେଡି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ: ବିଜେଡି

ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ

– ୧୯୯୧ ମସିହାରେ ବିଜୁ ପଟ୍ଟନାୟକଙ୍କ ସମୟରେ ବିଧାନସଭାରେ ପାରିତ ହୋଇଥିଲା ତିନୋଟି ବିଲ୍‌
– ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ
– ୧୯୯୩ ମସିହାରୁ ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ପାଳିତ ହେଉଛି ପଞ୍ଚାୟତିରାଜ ଦିବସ
– ୨୦୧୦ରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅର୍ଥାତ ମାର୍ଚ୍ଚ ୫ ପରିବର୍ତ୍ତେ ଆଜି ଅର୍ଥାତ ଏପ୍ରିଲ ୨୪ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ପଞ୍ଚାୟତିରାଜ ଦିବସ ପାଳିତ ହୋଇଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ଓ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ଅଭିହିତ କରିଛି। ସାରା ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ସ୍ମରଣୀୟ କରିବା ପାଇଁ ଗତ ୩ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଥିବା ବେଳେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କେବଳ ଇତିହାସକୁ ବିକୃତ କରିବା ସଦୃଶ୍ୟ ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ କୁହାଯାଇଛି।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାର ଆମୂଳଚୁଳ ପୁନରବିନ୍ୟାସ ଲକ୍ଷ୍ୟରେ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ମାର୍ଚ୍ଚ ୧୯୯୧ ମସିହାରେ ତିନୋଟି ବିଲ୍ ପାରିତ କରାଇଥିଲେ। ଏହି ତିନୋଟି ବିଲ୍ ହେଲା, ଓଡିଶା ଜିଲ୍ଲାପରିଷଦ ବିଲ୍ ୧୯୯୧, ଓଡିଶା ପଞ୍ଚାୟତ (ସଂଶୋଧନ) ବିଲ୍ ୧୯୯୧, ଓଡିଶା ଗ୍ରାମପଞ୍ଚାୟତ ବିଲ୍ ୧୯୯୧। ତିନୋଟି ଯାକ ବିଲ୍‌ରେ, ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଧିକ କ୍ଷମତା ପ୍ରଦାନ ସହିତ ସମୁଦାୟ ଆସନର ୩୩% ମହିଳା ମାନଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରି କ୍ଷମତାର ବିକେନ୍ଦ୍ରୀକରଣ ଦିଗରେ ସାରା ଦେଶରେ ଏହା ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ ଏବଂ ଏହା ସମ୍ଭବ ହୋଇପାରିଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୃଢ଼ ନିଷ୍ପତ୍ତି ଯୋଗୁଁ । ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ, ବିଜୁ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ତତ୍କାଳୀନ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ଭାବେ ପାଳିତ ହୋଇଆସୁଥିଲା।

ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କର ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ପରବର୍ତ୍ତୀ ସମୟରେ, ତତ୍କାଳୀନ କେନ୍ଦ୍ରର ନରସିଂହ ରାଓ ସରକାର ଦ୍ୱାରା ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ସଂସଦରେ ପାରିତ ହେବାପରେ ୧୯୯୩ ମସିହା ୨୪ ଏପ୍ରିଲ ତାରିଖରେ ସାରା ଦେଶରେ ଲାଗୁ ହୋଇଥିଲା। ଏହି ବିଲ୍ ପାରିତ ହେବାର ପ୍ରାୟ ୪୯ ଦିନ ପୂର୍ବରୁ ଓଡିଶା ପଞ୍ଚାୟତିରାଜ ଦିବସ ପାଳନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। କେନ୍ଦ୍ରରେ ଏହି ବିଲ୍ ୧୯୯୩ ମସିହାରେ ପାରିତ ହୋଇଥିବା ବେଳେ, ୨୦୧୦ ମସିହାରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଘୋଷଣା ହେବାର ଦୀର୍ଘ ୧୮ ବର୍ଷ ପୂର୍ବରୁ ଓଡିଶା ପଞ୍ଚାୟତିରାଜ ଦିବସ ପାଳି ଆସୁଥିଲା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ ଓଡିଶାର ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ପାଳିତ ହୋଇଆସୁଥିବା ପଞ୍ଚାୟତିରାଜ ଦିବସ, ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ôଧ ଭାବେ ଓଡିଶାବାସୀଙ୍କ ସ୍ମୃତିପଟରେ ସତେଜ ହୋଇ ରହିଥିଲା।

ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖରେ କରିବା ନିଷ୍ପତ୍ତି, ରାଜ୍ୟର ଗୌରବମୟ ଇତିହାସକୁ ବିକୃତ କରିବା ସହିତ ଓଡ଼ିଆ ଅସ୍ମିତାକୁ କୁଠାରଘାତ ସଦୃଶ୍ୟ ହୋଇଛି ବୋଲି ଡ଼ ମହାନ୍ତି କହିଛନ୍ତି। ଓଡ଼ିଶାର କୀର୍ତ୍ତିକୁ ଗୌଣ କରି, ଓଡ଼ିଶା ସରକାରଙ୍କ ଠାରୁ ଅନୁପ୍ରାଣିତ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଚେଷ୍ଟା କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହା ରାଜ୍ୟ ସରକାରଙ୍କ ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସୂୟା ଭାବକୁ ପଦାରେ ପକାଉଛି ବୋଲି ଡ଼ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking