ଭୁବନେଶ୍ୱର: ବିଜେଡି କ୍ଷମତାରୁ ଯିବା ପରେ ବିଭିନ୍ନ ନେତା ଭିନ୍ନ ଭିନ୍ନ ସ୍ୱର ଉଠାଇଛନ୍ତି। କିଛି ନେତାଙ୍କ ବିରୋଧୀ ମନୋଭାବକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ହଟ୍ଟଚମଟ ସୃଷ୍ଟି ହୋଇଛି। ଦିନେ ଯେଉଁମାନେ ଦଳ ନେତୃତ୍ୱ ବିରୋଧରେ ସ୍ୱର ଉଠାଉ ନଥିଲେ ସେମାନେ ଆଗକୁ ବାହାରି ବିଷ ଓଗାଳିବାରେ ଲାଗିଛନ୍ତି। ଅନେକ ନେତା ଓ କର୍ମୀ ଦଳ ଛାଡ଼ିବାରେ ଲାଗିଛନ୍ତି। ତଳ ସ୍ତରରେ ଦଳୀୟ କର୍ମୀଙ୍କ ମଧ୍ୟରେ ହାତାଶ ଭାବ ସୃଷ୍ଟି ହୋଇଛି। ଏହା ଭିତରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରେ ନେତାମନେ ଯେଉଁ ସବୁ ମତ ରଖିଛନ୍ତି ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ଭିତରେ କନ୍ଦଳ ଏତେ ତୀବ୍ର ରୂପ ଧାରଣା କଲାଣି ଓ ଦଳରେ ଯେ ଆଗକୁ ବିଷ୍ଫୋରଣ ହୋଇପାରେ ଏହାର ସୂଚନା ମଧ୍ୟ ମିଳୁଛି।
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ଦଳକୁ ମଞ୍ଚରୁ କଡା କାଉଣ୍ଟର କରିଛନ୍ତି । ବିଜେଡି ଅଛି , ରହିବ ଏଭଳି କିଛି କହି କଡା କାଉଣ୍ଟର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଭାଙ୍ଗିବା ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ନବୀନ । କହିଛନ୍ତି, କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ରହିବ । ବିଜେଡି ଶହେ ବର୍ଷ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ । ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ । ଓଡିଆଙ୍କ ଭାବେବେଗ ସହ ଜଡିତ ବିଜେଡି । ବିଜେଡି ଭାଙ୍ଗିବ ବୋଲି ଗୁଜବ ଚାଲିଛି । ବିଜୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରିବ ବିଜେଡି । ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି ।
ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ଘସିପୁର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ ଦାୟୀ । ନିର୍ବାଚନ ପରିଚାଳନା ଠିକ ଭାବେ ନ ହେବାରୁ ବିଜେଡି ହାରିଲା। ଟିକେଟ ମଧ୍ୟ ଠିକ ଭାବରେ ବଣ୍ଟାଗଲା ନାହିଁ । ଯେଉଁମାନେ ଦଳ ପାଇଁ କାମ କରିଥିଲେ ସେମାନଙ୍କୁ ଟିକେଟରୁ ବାଦ ଦିଆଗଲା। ଆଉ ମଞ୍ଚରେ ଖୋଲାଖୋଲି ଭାବେ ବଦ୍ରି କହିଛନ୍ତି, ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ୱକୁ ସେ ମାନିବେ ନାହିଁ । ସୁଜାତା ଦଳରେ ମିଶିଲେ ଆମର ଆ ପତ୍ତି ନାହିଁ। ଆମ ଉପରେ ନେତା ହେବାକୁ ଚେଷ୍ଟା କଲେ ପ୍ରଶ୍ରୟ ଦେବୁନି । କେବଳ ନବୀନ ବାବୁ ଆମର ନେତା ।
ବିଜେଡି ପ୍ରତିଷ୍ଠା ଦିବସରେ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳ ମଧ୍ୟ ବିସ୍ଫୋରକ ବୟାନ ରଖିଛନ୍ତି । ବିଜେଡି ନେତାଙ୍କୁ ଧୋଇ , ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଥିଲେ ପ୍ରଭାତ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ ବର୍ଷିଥିଲେ ପ୍ରଭାତ । ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନ କରିବାକୁ କହିଲେ ପ୍ରଭାତ ।ଆହୁରି କହିଥିଲେ ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ କରି ନିଜ ନିର୍ବାଚନମଣ୍ଡଳ ଜଗନ୍ତୁ । ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁହୁ ହୋଇ ଜଳୁଛି । ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢିଥିଲା । ଲୋକଙ୍କ ସେବା ପାଇଁ ସେ ଆଇଏଏସ ଭଳି ଚାକିରି ଛାଡିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି କହିଛନ୍ତି ପ୍ରଭାତ ବିଶ୍ୱାଳ ।
ଏହାରି ଭିତରେ ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଇପ୍ସିତା ସାହୁ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କହିଛନ୍ତି, ବିଜେଡି ଆମକୁ ୨୪ ବର୍ଷ ହେବ ମାନ ସମ୍ମାନ ଦେଇଛି, ଆମ ନେତା ନବୀନ ବାବୁ ଙ୍କ କଥାକୁ ଅକ୍ଷର ଅକ୍ଷରରେ ପାଳନ କରିବା ଏଭଳି ଆଗକୁ ଗଲେ ସ୍ୱାଭୀମାନୀ ଯୋଦ୍ଧା ଭାବେ ନିଜ ନାଁ ଲେଖିବା । ନଚେତ କାଲି ଯେଉଁମାନେ ଏସି ରୁମରେ ବସି ରାଜନୀତି କରୁଥିଲେ, ଆଜି ବି ଏସି ଚାମ୍ବରରେ ବସି ବିଜେଡି ଦଳକୁ ଇଟା ପକାଇବେ । ସେମାନେ ବେଇମାନ ବାବେ ପରିଚିତ ହେବେ । ଆହୁରି କହିଛନ୍ତି , ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ , ଦେଶର ରାଷ୍ଟ୍ରପତି ମଧ୍ୟ ମହିଳା । ଦଳକୁ ମହିଳା ନେତୃତ୍ୱ ଆସିଲେ ସ୍ୱାଗତ କରାଯିବ ।
ଏପଟେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କେଲେ ସାଂସଦ ମୁନ୍ନା ଖାଁ । ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ । ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ । ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡା ମାର । କିନ୍ତୁ ଆମ ନେତା ନବୀନ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢେଇଲେ । ମୁଁ ନବୀନଙ୍କୁ କହିସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି, ମୁଁ କହିସାରିଛି କହିଛନ୍ତି ମୁନ୍ନା । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବନି । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବା ।
ଅନ୍ୟପଟେ ସଞ୍ଜୟ ଦାସ ବର୍ମା କହିଛନ୍ତି । ଦୁଇ ଜୁଇ ଥର ଭୋଟ ନେଲଣି, ଚିଲିକା ଉପରେ ବ୍ରିଜ ନିର୍ମାଣ ପାଇଁ । ବଡ ବଡ ହୋଡିଂ ମରାଯାଇଥିଲା ବ୍ରହ୍ମଗିରିରେ ଏବଂ କୃଷ୍ଣପ୍ରସାଦରେ । ଭୁବନେଶ୍ୱର ଠାରୁ ଦିଲ୍ଲୀ ଯାଏ, ପୁରୀଠାରୁ କୃଷ୍ଣ ପ୍ରସାଦ ମେଲଣ ପଡିଆ ଯାଏ ବ୍ରହ୍ମଗିରି ବାସୀଙ୍କୁ ଆଶ୍ୱସ୍ଥ କରିଥିଲ, ଆମକୁ ଭୋଟ ଦିଅ । ଡିପିଆର ପ୍ରସ୍ତୁତ ହୋଇଛି ତିନିମାସ ଭିତରେ ଚିଲିକା ଉପରେ ବ୍ରିଜ ତିଆରି ହେବ । କିନ୍ତୁ ହେଲା ନାହିଁ ତେବେ ସଭାରୁ ସଞ୍ଜୟ ନିବେଦନ କରି କହିଛନ୍ତି, ଆପଣମାନଙ୍କ ହାତରେ ଆହୁରି ୨, ୩ ବର୍ଷ ସମୟ ଅଛି । ସେ ବ୍ରିଜ କାମ ତୁରନ୍ତ ଆରମ୍ଭ ହେଉ । ମଞ୍ଚରୁ ଆହୁରି କହିଛନ୍ତି ଏହି ପ୍ରତିଷ୍ଠା ଦିବସରେ ଆମେ ଶପଥ ନେବା ସାଢେ ୪ କୋଟି ଓଡିଶା ବାଶୀଙ୍କର ଅପ୍ରତିତମ ନେତୃତ୍ୱ , ଭାରତ ବର୍ଷର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ଯାହା କହିଥିଲେ, ମୋ ଜୀବନର ଶେଷ ବିନ୍ଦୁ ଯାଏଁ ମୁଁ ଓଡିଶାର ନେତୃତ୍ୱ ନେବି ।
ସେହିଭଳି ପ୍ରତାପ ଦେବ କହିଛନ୍ତି , ବିଜୁ ଜନତା ଦଳ ଥିଲା , ଅଛି , ରହିବ । ମଞ୍ଚରୁ ଚେତାବନୀ ଦେଇ କହିଛନ୍ତି, ଯେଉଁମାନେ ଭାବୁଛନ୍ତି ନବୀନ ପଟ୍ଟନାୟକ ରୋଗଗ୍ରସ୍ତରେ ଅଛନ୍ତି, ସେମିତି ନୁହେଁ, ଟାଇଗର ଜିନ୍ଦା ହେ । ସେପଟେ ମଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ଏ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ । ଢଗ ମାଧ୍ୟମରେ କହିଛନ୍ତି ଆପଣମାନେ ଶୁଣିଥିବେ , ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜେଇଦେ । ଆଜି ରାଜ୍ୟରେ ଅବସ୍ଥା ସେୟା । ଏଭଳି କିଛି ମୁଖମନ୍ତ୍ରୀ ଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରତାପ ଦେବ ।










