ବ୍ୟୁରୋ : ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୧୪ ଜଣ ବିଧାୟକ ବିଜେଡି ସହ ଯୋଗାଯୋଗରେ ଥିବା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ । ନିଜ ଦଳ କର୍ମୀଙ୍କ ମନୋବଳ ବଢାଇବାକୁ ଯାଇ ମୁନା ଖାନ କହିଛନ୍ତି , ବିଜେଡି ଅଳ୍ପ ଦିନ ଭିତରେ କ୍ଷମତାକୁ ଫେରିବା ନିର୍ବାଚନ ପୂର୍ବରୁ ବିଜେଡି ଛାଡିଥିବା ୨୨ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ । ଏବଂ ୨୨ଜଣ ନେତା ବିଜେପି ଟିକେଟ ପାଇ ବିଧାୟକ ହୋଇଛନ୍ତି । ସେ ଆହୁରି କହିଛନ୍ତି , ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି । ଯାହା ବିଜେଡି କ୍ଷମତାରୁ ଫେରିବାକୁ ରାସ୍ତା ଖୋଲୁଛି ।
ନିର୍ବାଚନ ପୂର୍ବରୁ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବାରେ ବିଫଳ ହୋଇଛି । ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ । କାରଣ ଏହା ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି କହିଛନ୍ତି ମୁନ୍ନା ଖାନ । ତେବେ ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବିଜେଡିର ଆୟୁଷ ବହୁତ କ୍ଷୀଣ । ମୋର ସନ୍ଦେହ ହେଉଛି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡ଼ିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି । ବିଜେଡିର ଅସ୍ତିତ୍ୱ ପ୍ରତି ସନ୍ଦେହ ଜାତ ହେଉଛି । ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜରେ ଦେଇଥିଲେ, ସେଥିପାଇଁ ଇଏ ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି । ତାଙ୍କ ଭିତରେ କ’ଣ ବାୟୋଲୋଜି ଓ କେମେଷ୍ଟ୍ରି କ’ଣ ଅଛି କେଜାଣି । ଏବେ ବି ସବୁବେଳେ ନବୀନ ନିବାସରେ ପାଣ୍ଡିଆନ ରହୁଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।