ଟିକାବାଲି: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଟିକାବାଲି ଅଞ୍ଚଳର ଏକ ପୋଲ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳେ ତିନି ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ବର୍ବିନାଜୁରୁ ଟିକାବାଲି ଯାଉଥିବା ସମୟରେ ବାଇକ୍ ଚାଳକ ଜଣକ ଗାଡି ଉପରୁ ନିୟନ୍ତ୍ରଣ ହାରଇଥିଲେ । ଫଳରେ ବାଇକ୍ଟି ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଟିକାବାଲି ହସ୍ପିଟାଲକୁ ପଠାଇବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ହସ୍ପିଟାଲକୁ ପଠାଇଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।










