କୋମନା: ଧନୁଯାତ୍ରା ଦେଖି ଏକ ବାଇକ୍ ଯୋଗେ ୪ଜଣ ଘରକୁ ଫେରୁଥିବା ବେଳେ ଗୁରୁବାର ଭୋର୍ ଭାରସାମ୍ୟ ହରାଇ ପାଣିରେ ପଡ଼ି ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ଼ ଗାଁରେ ଚାଲିଥିବା ଧନୁଯାତ୍ରା ଦେଖି କୋମନା ଥାନା ଅନ୍ତର୍ଗତ ବାବେଘାଟି ଗାଁର ଶୋଭାରାମ ହଂସ, ରଂଜିତ ହଂସ, ଭାଗବତ ମାଝୀ ଓ ହାତୀସରା ଗାଁର ହରିଚନ୍ଦ୍ର ପଟେଲ ଗାଁକୁ ଫେରୁଥିଲେ। ଶୋଭାରାମ, ରଞ୍ଜିତ ଓ ଭାଗବତ ହାତୀସରା ଗାଁକୁ ହରିଚନ୍ଦ୍ରଙ୍କୁ ଛାଡ଼ିବାକୁ ବାଇକରେ ଯାଉଥିବା ବେଳେ ହାତୀସରା ତରବୋଡ଼ ପୋଲ ପାଖରେ ଭାରସାମ୍ୟ ହରାଇ ପାଣି ଭିତରେ ପଡ଼ିଯାଇଥିଲେ। ସେମାନଙ୍କ ଭିତରୁ ରଞ୍ଜିତ ଓ ଭାଗବତ ପାଣିରୁ ପହଁରି ପଦାକୁ ଆସିଯାଇଥିବା ବେଳେ ଶୋଭାରମ ଓ ହରିଚନ୍ଦ୍ର ପଟେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏଣେ କୋମନା ଅଗ୍ନିଶମ ବିଭାଗ ସହଯୋଗରେ ପାଣିରୁ ମୃତଦେହ ବାହାର କଲା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କୋମନା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା କୋମନା ଆଇଆଇସି ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।










