ଭୁବନେଶ୍ୱର: ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ । ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ବୈଠକ ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜ୍ନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହିତ ରାଜ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ବିଜୁ ଜନତା ଦଳ ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା ପାଇଁ ବୈଠକରେ ସନ୍ତୋଷ ପ୍ରକାଶ କରାଯାଇଥିଲା । ବୈଠକରେ ନିମ୍ନୋକ୍ତ ପ୍ରସ୍ତାବ ଗୃହିତ କରାଯାଇଥିଲା । ୨୨ ଅପ୍ରେଲ ୨୦୨୫ ରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟକ୍ତିମାନଙ୍କ ଅମର ଆତ୍ମା ପ୍ରତି ବୈଠକରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଏବଂ ସେମାନଙ୍କର ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।
ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାବାହିନୀର ଅତୁଳନୀୟ ଦକ୍ଷତା, ସାହସ ଓ ପରାକ୍ରମର ଉଚ୍ଚ ପ୍ରଶଂସା କରାଯାଇଥିଲା । ଦେଶର ସୁରକ୍ଷା ପାଇଁ ସେନା ବାହିନୀର ଶୌର୍ଯ୍ୟ ବିଶ୍ୱ ଦରବାରରେ ଭାରତକୁ ଗୌରବାନ୍ୱିତ କରିଛି । ବିଜୁ ଜନତା ଦଳ ଭାରତୀୟ ସେନା ପାଇଁ ଗର୍ବିତ । ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସରକାର ଯତ୍ନବାନ ହେବେ ବୋଲି ବୈଠକରେ ଆଶା ବ୍ୟକ୍ତ କରାଯାଇଥିଲା । ଓଡିଶାରେ ୨୦୧୫ ରୁ ୨୦୨୪ ମଧ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ପ୍ରକାଶିତ ଆଇସିଆରଏ ରିପୋର୍ଟ ଉପରେ ଆଲୋଚନା କରାଯାଇ ସନ୍ତୋଷ ବ୍ୟକ୍ତ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ଶିଳ୍ପ ବିକାଶ ଦିଗରେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଆଇସିଆରଏ ରିପୋର୍ଟ ଅନୁଯାୟୀ ଦେଶର ୧୯ ଟି ରାଜ୍ୟ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା ଜିଏସଭିଏରେ ସର୍ବୋଚ୍ଚ ୧୦ ପ୍ରତିଶତ ହାସଲ କରିଥିବା ବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୭ ପ୍ରତିଶତରୁ ଅଧିକ ଜିଏସଭିଏ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ସମୟରେ ରାଜ୍ୟରେ ଆର୍ଥିକ ଓ ଶିଳ୍ପ ବିକାଶର ବେଗ ନିମ୍ନମୁଖୀ ହୋଇଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ରାଜନୈତିକ ଫାଇଦା ପାଇଁ ଟିକସ ଦାତାଙ୍କର ଅର୍ଥକୁ କେବଳ ରଙ୍ଗ ପରିବର୍ତ୍ତନ ଓ ବିଜେଡି ସରକାର ସମୟର ଯୋଜନାର ନାମ ପରିବର୍ତ୍ତନରେ ଅପବ୍ୟୟ ନ କରି ବିଜେପି ସରକାର ରାଜ୍ୟର ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ଓ ସାଙ୍ଗଠନିକ ପୁନର୍ବିନ୍ୟାସ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇ ଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଆଗାମୀ ଦିନରେ ଦଳର ଅନ୍ୟ ପଦବୀ ପୂରଣ ଦିଗରେ ଦଳର ସଭାପତିଙ୍କୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରାଯାଇଥିଲା । ଭବିଷ୍ୟତର ରାଜନୈତିକ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଦଳର ବିଭିନ୍ନ ଶାଖା ମଜବୁତ୍ କରିବା ସହିତ ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ରଖିବା ପାଇଁ ରାଜନୈତିକ ବ୍ୟାପାର କମିଟି କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।










