21.1 C
Bhubaneswar
Wednesday, February 4, 2026
Homeଓଡିଶାଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ଭୁବନେଶ୍ୱର:  ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ସହ ମିଲର ଓ ପ୍ରଶାସନିକ ଅଧିକାରୀ ମିଲି ଭଗତରେ ଚାଷୀଙ୍କୁ ହଇରାଣ କରାଯାଉଛି । ଧାନର ଉଚିତ ମୂଲ୍ୟ ପ୍ରଦାନରେ ବିଫଳ, ମଣ୍ଡିରେ ଧାନ କ୍ରୟ କରାଯାଉ ନଥିବା ସମବାୟ ସଂସ୍ଥାର ସମ୍ପାଦକ ଓ ମିଲରଙ୍କ ଅସାଧୁ ମେଣ୍ଟରେ ଚାଷୀ ପ୍ରଭାବିତ ହୋଇଛି । ଚାଷୀ ମାନେ ମଣ୍ଡିକୁ ଧାନ ନ ନେଇ ମିଲର ପାଖକୁ ନେବାକୁ କୁହାଯିବା ଓ ସେଠାକୁ ନେବା ପରେ ମିଲର କଟଣିଛଟଣୀ କରି ଧାନ ନେଉଛନ୍ତି । ଯାହା ଫଳରେ ଚାଷୀଙ୍କର ବ୍ୟାପକ କ୍ଷତି ହେଉଛି । ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଉଥିବା ଟୋକନ୍ ସଠିକ୍ ଭାବରେ ଆସୁନାହିଁ, ଯାହା ଫଳରେ ଚାଷୀ ଧାନ ବିକ୍ରି କରି ନପାରି ଖୋଲା ଆକାଶ ତଳେ ରଖି ଜଗି ବସିବାକୁ ପଡୁଛି । ଏହି ସମସ୍ୟା ଯୋଗୁଁ ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀ ନଗର ବ୍ଲକରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଏହାର ପ୍ରତିବାଦରେ ଆଜି ରାଜ୍ୟ ବିଜେଡ଼ି ଡାକରାରେ ଗଜପତି ଜିଲ୍ଲା ବିଜେଡି ତରଫରୁ ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ପ୍ରତିବାଦ କରି ଆଜି ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ହଜାର ହଜାର କୃଷକ ସାମିଲ ହୋଇଥିଲେ ।

ଶାସନ ଭାର ଏବେ ଅପାରଗ ବିଜେପି ସରକାର ହାତରେ । ଯାହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ଓ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀଙ୍କ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଜିଲ୍ଲା ବିଜୁ ଜନତା ଦଳ । ଏହା ପୂର୍ବରୁ ଶାନ୍ତ ଓ ବିକାଶ ଦିଗରେ ଆଗକୁ ବଢିଥିଲା ଓଡ଼ିଶା । ପୂର୍ବ ସରକାରଙ୍କ ସମୟରେ ନାରୀ ସୁରକ୍ଷିତ ଓ ସଶକ୍ତି ହେବା ସହ ଜୀବିକାନିର୍ବାହ କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ । ଏବେ ସାରା ରାଜ୍ୟରେ ବଢ଼ିଚାଲିଛି ନାରୀ ନିର୍ଯାତନା । ଏପରିକି ଅନ୍ତର୍ଦେଶୀୟ ସ୍ତରରେ ଚର୍ଚ୍ଚାରେ ରହିଛି ଓଡ଼ିଶା । ଯାହା ଓଡିଆ ଅସ୍ମିତାକୁ ନିନ୍ଦିତ ଓ ଅପମାନିତ କରିଛି । ଯାହା ଓଡ଼ିଶା ପାଇଁ ଏକ ଲଜ୍ୟାର ବିଷୟ । ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜିଲ୍ଲାରେ ମଧ୍ୟ ନାରୀ ସୁରକ୍ଷିତ ନାହାନ୍ତି । ନାରୀ ନିର୍ଯାତନା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଶହ ଶହ ମାମଲା ରୁଜୁ ହେଉଛି କିନ୍ତୁ କାର୍ଯ୍ୟ ଶୂନ । ୩୦୦ ୟୁନିଟ୍ ମାଗଣା ବିଦୁ୍ୟତ, ୩୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ, ଏକ କାଳୀନ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ପ୍ରଦାନ କଥା କହି ଲୋକଙ୍କୁ ପ୍ରତାରଣା କରିଛନ୍ତି ବିଜେପି ସରକାର ।

ବେକାରୀ ଯୁବକଙ୍କୁ ନିଯୁକ୍ତି ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ, କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉନାହିଁ, ଉନ୍ନୟନ ମୂଳକ କାର୍ଯ୍ୟ ଠପ୍, ଏଭଳି ବିଭିନ୍ନ ପ୍ରସଙ୍ଗରେ ନାରାବାଜି ଦେଇ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଜେପି ସରକାରଙ୍କ ଅପାରଗତାକୁ ନେଇ ଗର୍ଜନ
କରିଛି ବିଜେଡି । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଶହ ଶହ କର୍ମୀ ନେତା ଓ ଜନପ୍ରତିନିଧି ଏକତ୍ରିତ ହୋଇ ସରକାରଙ୍କ ଅପାରଗତା ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଏଭଳି ସ୍ଥିତି ଜାରି ରହିଲେ ରାଜ ରାସ୍ତା ଅବରୋଧ କରି ଆନେ୍ଦାଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ । ଏହି କର୍ୟ୍ୟକ୍ରମରେ ଜ୍ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ, ପାରଳା ପୌର ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ: ବୀରା ରାଜୁ, ଲକ୍ଷ୍ମୀକାନ୍ତ ପରିଛା, ବାଲା ରାଜୁ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜିଲ୍ଲାର ସମସ୍ତ ବ୍ଲକର ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମ ଶେଷରେ ବିଧାୟକ ରୁପେଷ ପାଣିଗ୍ରାହି ଏବଂ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଓଡିଶା ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking