ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ରୀ ଦିଲୀପ ରାୟଙ୍କ ବିଜୟ ପରେ, ରାଜ୍ୟର ଦୁଇ ପୁରୁଖା ନେତା ବିଜୟ ମହାପାତ୍ର ଓ ଶ୍ରୀ ପ୍ରଭାତ ତ୍ରିପାଠୀ ଉଲ୍ଲସିତ ହୋଇ ପଡ଼ିଥିବା ବେଳେ ବିଜୁ ଜନତା ଦଳ ଆଜି ଏଇ ଦୁଇ ନେତାଙ୍କ ବିଜୁ ବିରୋଧୀ କାର୍ଯ୍ୟ ଗୁଡିକୁ ମନେ ପକାଇ ଦେଇଛି । ୧୯୯୫ ମସିହାରେ, ଲଗାତାର ଭାବେ ବିଜୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ୧୯୯୬ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସୁଯୋଗକୁ ଭଣ୍ଡୁର କରିବାରେ ଯେଉଁ ଚକ୍ରାନ୍ତ ହୋଇଥିଲା, ସେଥିରେ ଏଇ ଦୁଇ ନେତାଙ୍କ ସମ୍ପୃକ୍ତି ଥିଲା ବୋଲି ବିଜେଡି କହିଛି ।ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଶ୍ରୀ ଧ୍ରୁବ ଚରଣ ସାହୁ, କୁଚକ୍ରୀ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ପୂର୍ବ କାର୍ଯ୍ୟକଳାପକୁ ସ୍ମରଣ କରାଇ ସେମାନଙ୍କ ଉପରେ ବର୍ଷିଥିଲେ ।ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ୧୯୯୫ ମସିହାରେ, ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥିବାବେଳେ ଓ ସେ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ବିଚାର କରାଯାଉଥିବା ବେଳେ ଏଇ ଦୁଇ ନେତା ଅନେକ ସ୍ଥାନରେ ସମାନ୍ତରାଳ ପ୍ରାର୍ଥୀ ଦେଇ ଏକ ଅପ୍ରତ୍ୟାଶିତ ପରାଜୟ କରାଇଥିଲେ । ସେହିପରି, ୧୯୯୬ ମସିହାରେ ବିଜୁ ବାବୁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ସୃଷ୍ଟି ହୋଇଥିଲା । କିନ୍ତୁ, ଓଡ଼ିଶାର କିଛି ନେତା ତାଙ୍କୁ ପ୍ରଧାନମନ୍ତ୍ରୀ କରାଇ ନଦେବା ପାଇଁ ଏକ ଚକ୍ରାନ୍ତ ରଚିଥିଲେ, ସେମାନଙ୍କ ମଧ୍ୟରେ ଏଇ ଦୁଇ ନେତା ଥିଲେ ।ଶ୍ରୀ ଧ୍ରୁବ ଚରଣ ସାହୁ କହିଥିଲେ, ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ ରଚୁଥିବା ନେତା ମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି । ଏଇ ଚକ୍ରାନ୍ତକାରୀ ମାନଙ୍କ ଭିତରେ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସାମିଲ ଥିଲେ ।
ପ୍ରଭାତଙ୍କ ନବୀନ ନିବାସରେ ବିଶୃଙ୍ଖଳା ଆଚରଣ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା । ଟଙ୍କା ବଦଳରେ ଭୋଟ ଦେଇଛନ୍ତି । କେବଳ ଲୋକ ଆକ୍ରୋଶରୁ ରକ୍ଷା ପାଇବା ଲକ୍ଷ୍ୟରେ ବିଜୁ ଲିଗାସୀ କଥା କହୁଛନ୍ତି । ଏମାନଙ୍କ ମୁହଁରେ ବିଜୁ ଲିଗାସୀ କଥା ସୈତାନର ବେଦ ପାଠ ସଦୃଶ୍ୟ ।ଶ୍ରୀ ସାହୁ କହିଥିଲେ, ଦିଲୀପ ଓ ବିଜୟଙ୍କ ବିବୃତିରୁ ସ୍ପଷ୍ଟ ହୋଇଛି ଯେ ତିନି ମାସ ତଳୁ ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରାଯାଇଥିଲା । ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ଲୋକ ନବୀନଙ୍କ ବିରୋଧରେ ଚକ୍ରାନ୍ତ ରଚୁଛନ୍ତି । ୧୯୯୨ ମସିହାରେ ମଦ ମୃତ୍ୟୁ ମାମଲାରେ ମୁଖ୍ୟତଃ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସମ୍ପୃକ୍ତ ଥିଲେ । ମଦ ମୃତୁ୍ୟରୁ ନିଜକୁ ରକ୍ଷା କରିବା ପାଇଁ ବିଜୟଙ୍କ ପ୍ରରୋଚନାରେ ପ୍ରଭାତ କ୍ରସ ଭୋଟିଂ କରିଥିଲେ । ବିଜୁ ବାବୁ ଏଥିରେ କ୍ଷୁବ୍ଧ ହୋଇଥିଲେ ଓ ବିଜୟଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରିଥିଲେ ଓ ପ୍ରଭାତଙ୍କୁ ସସ୍ପେଣ୍ଡ କରିଥିଲେ । ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପ୍ରଭାତ ଦୁଇ ଦୁଇ ଥର ସସ୍ପେଣ୍ଡ ହୋଇଥିଲେ ।ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟସଭା ନିର୍ବାଚନ ପରେ କିଛି ନେତା ବିଜୁ ଲିଗାସୀ ବିଷୟରେ କହୁଛନ୍ତି । ଯେଉଁମାନେ ଆଜି ବିଜୁ ବାବୁଙ୍କ ଲିଗାସୀ କଥା କହୁଛନ୍ତି, ସେହିମାନେ ବିଜୁଙ୍କୁ ପ୍ରଧାନମନ୍ତ୍ରୀ କରେଇ ନଦେବା ଚକ୍ରାନ୍ତରେ ସାମିଲ ଥିଲେ । କ୍ରସ ଭୋଟିଂ କରିଥିବା ବିଧାୟକ ମାନେ କେବଳ ଟିକେଟ ନେଇ କ୍ଷମତା ଉପଭୋଗ କରିବା ପାଇଁ ବିଜୁ ଜନତା ଦଳରେ ଥିଲେ । ସେମାନଙ୍କୁ ସସ୍ପେଣ୍ଡ୍ କରି ନବୀନ ବାବୁ ଉଚିତ ପଦକ୍ଷେପ ନେଇଛନ୍ତି । ଜନ ଆକ୍ରୋଶରୁ ରକ୍ଷା ପାଇବା ପାଇଁ, ବିଜୁ ଲିଗାସୀ କଥା କହୁଛନ୍ତି । ଯଦି ସେମାନଙ୍କର ସତ ସାହସ ଅଛି, ନିଜ ବିଧାୟକ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ନ୍ତୁ । ସେମାନଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ବିଜୁ ଜନତା ଦଳ ଆଇନଗତ ପଦକ୍ଷେପ ନେବ ।










