ପାଟନା: ବିହାର ବିଧାନସଭା ନିର୍ବାଚନର ତାରିଖ ଯଦିଓ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ନଭେମ୍ବର ପୂର୍ବରୁ ଘୋଷଣା ହେବା ନେଇ ଆଶା କରାଯାଉଛି । ତେବେ ଏହି ସମୟରେ ଏକ ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଚକିତ କରିଦେବା ଭଳି ହୋଇଛି । ରିପୋର୍ଟ ଅନୁସାରେ ବିହାରରେ କରାଯାଇଥିବା ଏକ ପ୍ରାକ୍ ନିର୍ବାଚନୀ ସର୍ଭେରୁ ମିଳିଥିବା ଫଳାଫଳ ଅନୁସାରେ ଏଥର ବିହାରରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ନୁହେଁ ବରଂ କଂଗ୍ରେସ-ଆରଜେଡି ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଫେରିବା ସମ୍ଭାବନା ବେଶ୍ ଅଧିକ । ସେହିପରି ନୂଆକରି ଗଠନ ହୋଇଥିବା ପ୍ରଶାନ୍ତ କିଶୋର (ପିକେ)ଙ୍କ ରାଜନୈତିକ ଦଳ ଜନସୂରଜ ପାର୍ଟି ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ନିଜ ପ୍ରଭାବ ଦେଖାଇବାରେ ସଫଳ ହେବ ।
ପୋଲ ଟ୍ରାକର୍ ସର୍ଭେ ଅନୁଯାୟୀ, ଇଣ୍ଡିଆ ମେଣ୍ଟ ଏଥର ଏନ୍ଡିଏକୁ ପଛରେ ପକାଇବାରେ ସଫଳ ହେବ । ନିର୍ବାଚନରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମେଣ୍ଟ ୪୪.୨% ଭୋଟ୍ ସହ ୧୨୬ ଆସନ ପାଇବ । ସେହିପରି ଜେଡିୟୁ ଏବଂ ବିଜେପି ମେଣ୍ଟ ୪୨.୮% ଭୋଟ୍ ଅର୍ଥାତ୍ ୧୧୨ ଆସନ ହାତେଇବାରେ ସଫଳ ହୋଇପାରିବେ । ଜନ ସୂରଜ ପାର୍ଟିକୁ ୨.୭% ଭୋଟ୍ ସହ ୧ଟି ଆସନ ଏବଂ ଅନ୍ୟାନ୍ୟ ଦଳଙ୍କ ଖାତାକୁ ୧୦.୩% ଭୋଟ୍ ସହ ୮ଟି ଆସନ ଯିବ ବୋଲି ଅନୁମାନ କରାଯାଉଛି । ସେହିପରି ସର୍ଭେରେ ଆଉ ଏକ ବଡ଼ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ନୀତୀଶ କୁମାର ବିହାରବାସୀଙ୍କ ସର୍ବାଧିକ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବରଂ ତେଜସ୍ୱୀ ଯାଦବ ଏହି ଦୌଡରେ ସର୍ବାଗ୍ରେ ରହିଛନ୍ତି । ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଯେଉଁଠି ମାତ୍ର ୩୧% ସମର୍ଥନ ଦେଖିବାକୁ ମିଳୁଛି ସେଠାରେ ପ୍ରାୟ ୪୩% ସମର୍ଥନ ତେଜସ୍ୱୀଙ୍କ ସପକ୍ଷରେ ରହିଥିବା ସ୍ପଷ୍ଟ ହେଉଛି ।
ସେହିପରି ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁଳନାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥର ସର୍ବାଧିକ ପସନ୍ଦର ନେତା ଭାବେ ଆଗୁଆ ଥିବା ଦେଖିବାକୁ ମିଳୁଛି । ପୋଲ ଟ୍ରାକର ଅନୁସାରେ ରାହୁଲ ଗାନ୍ଧୀଙ୍କୁ ୪୭% ବିହାରବାସୀ ପସନ୍ଦ କରୁଥିବା ବେଳେ ମୋଦୀଙ୍କୁ ୩୯% ଲୋକଙ୍କ ସମର୍ଥନ ରହିଛି । ନୀତୀଶ କୁମାର, ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ନେତାମାନଙ୍କୁ ୧୪% ଜନସମର୍ଥନ ରହିଛି । ସେହିପରି ତେଜସ୍ୱୀ ଏଥର ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଭାବେ ଉଭା ହୋଇଛନ୍ତି । ବିହାରରେ ଇଣ୍ଡିଆ ମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚେହେରା ହେଉଛନ୍ତି ଆରଜେଡି ନେତା ତେଜସୱୀ ଯାଦବ । ବିହାରରେ ମୋଟ ୨୪୩ ବିଧାନସଭା ଆସନ ଅଛି ଏବଂ ବହୁମତ ପାଇଁ ୧୨୨ ଆସନ ଆବଶ୍ୟକ। ଯଦି ସର୍ଭେକୁ ବିଶ୍ୱାସ କରାଯାଏ, ତେବେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବା ସମ୍ଭାବନା ଅଧିକ । ପ୍ରକାଶ, ପୋଲ ଟ୍ରାକର ବିହାର ବିଧାନସଭା ପରିପ୍ରେକ୍ଷୀରେ ଇତି ମଧ୍ୟରେ ଦୁଇ ଦୁଇଥର ସର୍ଭେ କରିସାରିଛି । ଦୁଇଥର ଯାକ ଇଣ୍ଡିଆ ମେଣ୍ଟ ବହୁମତ ପାଇବ ବୋଲି ଫଳାଫଳ ସାମ୍ନାକୁ ଆସିଛି ।