25.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶବିହାର ବିଧାନସଭା ନିର୍ବାଚନ ଫଳାଫଳ: ଏନ୍‌ଡିଏକୁ ଜନାଦେଶ

ବିହାର ବିଧାନସଭା ନିର୍ବାଚନ ଫଳାଫଳ: ଏନ୍‌ଡିଏକୁ ଜନାଦେଶ

ବିଜେପି ସଂଖ୍ୟା ଗରିଷ୍ଠ ଦଳ, ୨ୟରେ ଜେଡିୟୁ
ଧରାଶାୟୀ ହେଲା ବିରୋଧୀ ଗୋଷ୍ଠୀ, ବହୁକଷ୍ଟରେ ସମ୍ମାନ ରକ୍ଷା କଲେ ତେଜସ୍ୱୀ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଏକ୍‌ଜିଟ୍ ପୋଲ୍ ରେଜଲ୍ଟ ସତ ହୋଇଛି। ବିହାରବାସୀ ଏନ୍‌ଡିଏ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ପ୍ରଦାନ ପୂର୍ବକ ପୁଣିଥରେ ସରକାର ଗଠନ କରିବାକୁ ଜନାଦେଶ ଦେଇଛନ୍ତି। ମୁଖ୍ୟତଃ ବିହାରର ଯୁବଗୋଷ୍ଠୀ ଏବଂ ମହିଳା ଭୋଟରଙ୍କ ସମର୍ଥନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟକୁ ଯାଇଛି। ତେବେ ଜେଡିୟୁ ତୁଳନାରେ ବିଜେପିକୁ ଏଠାରେ ମିଳିଥିବା ସଫଳତା ନୀତୀଶଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିହାରୀ ମହିଳା ଓ ଯୁବଗୋଷ୍ଠୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରିଛି। ଗୋଟିଏ ପଟେ ଯେଉଁଠି ବିରୋଧୀ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ଭୋଟ୍ ପଡ଼ିବା ପର୍ଯ୍ୟନ୍ତ ପରସ୍ପର ସହ ବିବାଦରେ ମଧ୍ୟରେ ଛନ୍ଦି ହୋଇ ରହିଲେ ବିଜେପି କିନ୍ତୁ ନିଜ ନିର୍ବାଚନ ଷ୍ଟ୍ରାଟେଜୀକୁ ପାଥେୟ କରି ବିଶାଳ ବିଜୟ ହାସଲ କରିନେଇଛି। ଏସବୁ ମଧ୍ୟରେ ବିରୋଧୀ ଗୋଷ୍ଠୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କଷ୍ଟେମଷ୍ଟେ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଆରଜେଡିର ଗଡ଼ ହୋଇ ରହିଆସିଥିବା ରାଘୋପୁର ନିର୍ବାଚନ ମଣ୍ଡଳୀରୁ ସେ ପ୍ରାର୍ଥୀ ହୋଇଥିବା ବେଳେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମାତ୍ର ୧୪ହଜାର ଭୋଟରେ ହିଁ ବିଜୟ ଲାଭ କରିଛନ୍ତି। ଅର୍ଥାତ୍ ତାଙ୍କୁ ଏଠାରେ କଡ୍ଡା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିଛି। ବିରୋଧୀ ଗୋଷ୍ଠୀର ଅନେକ ବଡ଼ ନେତା ପରାଜିତ ହୋଇଥିବା ବେଳେ ବିଜେପିର ଅନେକ ନବାଗତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସିଧାସଳଖ କହିଲେ ବିରୋଧୀ ଗୋଷ୍ଠୀଙ୍କ ଅନେକ ଆସନ ଏଥର ବିଜେପି ଏବଂ ଜେଡିୟୁ ଖାତାକୁ ଚାଲିଯାଇଛି।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୨୪୩ ଆସନ ବିଶିଷ୍ଟ ବିହାରରେ ଏନ୍‌ଡିଏ ମେଣ୍ଟ ମୋଟ୍ ୨୦୨ ଆସନରେ ବିଜୟୀ ହୋଇଛି। ଏଥିମଧ୍ୟରୁ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ଆଗୁଆ ରହିଛି। ବିଜେପି ଏଠାରେ ମୋଟ୍ ୮୯ ଆସନ ଜିତିଥିବା ବେଳେ ଅନ୍ୟତମ ଅଂଶୀଦାର ଦଳ ଭାବେ ନୀତୀଶ କୁମାରଙ୍କ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ୮୫ ଆସନ, ଚିରାଗ ପାଶୱାନ୍‌ଙ୍କ ଦଳ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୧୯ ଆସନ ଜିତିଛନ୍ତି। ସେହିପରି ଏନ୍‌ଡିଏର ଅନ୍ୟ ଅଂଶୀଦାର ଦଳଙ୍କୁ ମୋଟ୍ ୯ଟି ଆସନ ମିଳିଛି। ଅନ୍ୟପକ୍ଷେ ବିରୋଧୀ ମହାମେଣ୍ଟ ମାତ୍ର ୩୪ଟି ଆସନରେ ଜିତିବାରେ ସକ୍ଷମ ହୋଇଛି। ଏଥିମଧ୍ୟରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡିକୁ ୨୫ ଆସନ ମିଳିଥିବା ବେଳେ କଂଗ୍ରେସ ୬ଟି ଆସନରେ ସୀମିତ ରହିଛି। ସେହିପରି ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ସିପିଆଇ (ଏମ୍‌ଏଲ୍‌)କୁ ୨ଟି ଆସନ ଏବଂ ଅନ୍ୟ ଅଂଶୀଦାର ଦଳଙ୍କୁ ୧ ଆସନ ମିଳିଛି। ସେହିପରି ଅନ୍ୟାନ୍ୟ ଖାତାକୁ ୬ଟି ଆସନ ଯାଇଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଦଳ ଜନସୁରଜ ପାର୍ଟି ଗୋଟିଏ ହେଲେ ଆସନ ଜିତିପାରିନାହିଁ। ସୂଚନାଯୋଗ୍ୟ ବିହାରରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନଂ ୧୨୨ ରହିଛି।

ଚଳିତ ନିର୍ବାଚନରେ ବିହାରରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବେଳେ ଜେଡିୟୁ ୨ୟ ସ୍ଥାନରେ ରହିଛି। ସୁତରାଂ ବିହାରରେ ଏଥର ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ସାମାନ୍ୟ ସଂଶୟ ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏନେଇ ଏକ ସଂକେତ ମଧ୍ୟ ଦେଇଛନ୍ତି। ଗଡ଼କରୀ କହିଛନ୍ତି ବିହାରରେ ଏଥର ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏପ୍ରକାର ଚର୍ଚ୍ଚା ମଧ୍ୟରେ ନୀତୀଶ ସାମାନ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଫଳାଫଳ ଉପରେ ଦୃଷ୍ଟିଦେଲେ ବିଜେପି ଯଦି ଜେଡିୟୁକୁ ବାଦ୍ ଦେଇ ନିଜର ଅନ୍ୟ ଅଂଶୀଦାର ଦଳଙ୍କ ସହ ମିଶି ସରକାର ଗଠନ କରିବାକୁ ଚାହେଁ ତେବେ ମଧ୍ୟ ଏହା କିଛି ମାତ୍ରାରେ ସମ୍ଭବ ପ୍ରତୀତ ହେଉଛି। ବିଜେପି ପାଖରେ ୮୯ ଆସନ ଥିବା ବେଳେ ଏଲ୍‌ଜେପିର ୧୯, ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲଏମ୍‌)ର ୪ ଏବଂ ଜୀତନ୍ ରାମ ମାଞ୍ଝିଙ୍କ ଦଳ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍‌)ର ୫ ଆସନକୁ ମିଶାଇ ମୋଟ୍ ୧୧୭ ଆସନ ହେଉଛି।

ଏନ୍‌ଡିଏର ଐତିହାସିକ ବିଜୟ ପଛରେ ୫ଟି କାରଣ
୧- ସୁଚିନ୍ତିତ ଆସନ ବଣ୍ଟନ ଫର୍ମୁଲା
୨- ‘ଜଙ୍ଗଲ ରାଜ’ ଭୟକୁ ସଠିକ୍ ଭାବେ ଉପସ୍ଥାପନ
୩- ବିସ୍ତାରିତ ଜାତିଗତ ମେଣ୍ଟ
୪- ବ୍ୟାପକ ମହିଳା ଭୋଟର ସଂଗ୍ରହ ଏବଂ କଲ୍ୟାଣକାରୀ ପ୍ରଚାର
୫- ନୀତିଶ ଫ୍ୟାକ୍ଟର ଏବଂ ଜେଡି(ୟୁ)ର ପୁନରୁତ୍ଥାନ

ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି ବିରୋଧୀ
ବିଜେପି ନିଜ ପ୍ରଚାର ଅଭିଯାନରେ ଯେତେବେଳେ ବିକାଶର କଥା କହୁଥିଲା ସେତେବେଳେ ବିରୋଧୀ ଗୋଷ୍ଠୀର ନେତାମାନେ କେବଳ ନୀତୀଶ ଏବଂ ମୋଦୀଙ୍କୁ ସମାଲୋଚନା କରିବା ଦେଖିବାକୁ ମିଳିଥିଲା, ଯାହାକି ବିହାରବାସୀଙ୍କୁ ପସନ୍ଦ ଆସିନଥିଲା। ବିଜେପି ଏବଂ ଜେଡିୟୁ ସମେତ ଏନ୍‌ଡିଏ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ଭୋଟରଙ୍କ ସମ୍ମୁଖରେ ଡବଲ୍ ଇଞ୍ଜିନ୍ ସରକାରରେ ଲାଭ ତଥା ଏକ ସୁଚିନ୍ତିତ ବିକାଶୋନ୍ମୁଖୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଥିଲେ। ସବୁବର୍ଗର ହିତାଧିକାରୀଙ୍କ ପାଇଁ ଏମାନଙ୍କ ପାଇଁ ସଠିକ୍ କାର୍ଯ୍ୟାନ୍ୱୟନ ସିଦ୍ଧାନ୍ତ ରହିଥିଲା। ଯେତେବେଳେ କି ବିରୋଧୀ ଦଳଙ୍କ ପକ୍ଷରୁ ଏପ୍ରକାର ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକୁ କାର୍ଯ୍ୟକାରୀ କରାଇବା ମଧ୍ୟ କଷ୍ଟକର ବ୍ୟାପାର ଥିଲା। ଉଦାହରଣ ସ୍ୱରୂପ ଆରଜେଡି ପ୍ରାର୍ଥୀ ତଥା ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ତେଜସ୍ୱୀ ଯାଦବ ନିର୍ବାଚନ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ମହାମେଣ୍ଟ କ୍ଷମତାକୁ ଆସିଲେ ସବୁ ପରିବାରର ଜଣେ ବ୍ୟକ୍ତିଙ୍କୁ ସରକାରୀ ଚାକିରି ଦେବେ। ଏହା ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ଏହାକୁ ବାସ୍ତବରେ କରାଯିବା ଅସମ୍ଭବ ରହିଥିଲା। ଏନ୍‌ଡିଏ କିନ୍ତୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି କଥା କହିଥିଲା ଯାହାକୁ କାର୍ଯ୍ୟକାରୀ କରାଯାଇପାରିବ। ବିହାରବାସୀ ଏପ୍ରକାର ପ୍ରତିଶ୍ରୁତିକୁ ବେଶ୍ ଭଲଭାବେ ବୁଝିପାରିଥିଲେ। ହୁଏତ ଏସବୁ କାରଣରୁ ଜନାଦେଶ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସପକ୍ଷରେ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking