28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବାଂଲା ବିକ୍ଷୋଭକାରୀଙ୍କ ବଡ଼ ବିଜୟ: ଆସିଲା ସୁପ୍ରିମକୋର୍ଟଙ୍କ ରାୟ

ବାଂଲା ବିକ୍ଷୋଭକାରୀଙ୍କ ବଡ଼ ବିଜୟ: ଆସିଲା ସୁପ୍ରିମକୋର୍ଟଙ୍କ ରାୟ

ଢାକା: ବାଂଲାଦେଶ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଦେଶରେ ନିଯୁକ୍ତି ପ୍ରକ୍ରିୟା ଅନ୍ତର୍ଗତ ଲାଗୁ ହୋଇଆସୁଥିବା ମାତ୍ରାଧିକ କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ । ରିପୋର୍ଟ ଅନୁସାରେ ବାଂଲାଦେଶ ସୁପ୍ରିମକୋର୍ଟ ଆଜି ଦେଶରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କୁ ଦିଆଯାଉଥିବା ମାତ୍ରାଧିକ ସଂରକ୍ଷଣ (୫୬%)କୁ ହ୍ରାସ କରି ୭%ରେ ସୀମିତ କରିଦେଇଛନ୍ତି । ଏଥିସହ ବାଂଲାଦେଶର ଢ଼ାକା ହାଇକୋର୍ଟ ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ୫୬%ର ସଂରକ୍ଷଣଜନିତ ଦେଇଥିବା ରାୟକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରକାଶ, ୨୦୧୮ରୁ ବାଂଲାଦେଶ ସରକାର ପୂର୍ବ ପ୍ରଚଳିତ ୫୬% ସଂରକ୍ଷଣ ବ୍ୟବସ୍ଥାକୁ ପରିହାର କରିଥିଲେ । କିନ୍ତୁୂ କିଛି ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ଢ଼ାକା ହାଇକୋର୍ଟ ପୁଣିଥରେ ଏହି କୋଟାକୁ ନିଯୁକ୍ତି ପ୍ରକ୍ରିୟାରେ ଲାଗୁ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ସଂରକ୍ଷଣ ସଂପର୍କିତ ରାୟ ଆସିବା ପରଠାରୁ ବାଂଲାଦେଶରେ ହିଂସା କାଣ୍ଡ ଘଟିଚାଲିଛି, ଯେଉଁଥିରେ ୧୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ସୁପ୍ରିମକୋର୍ଟ ଏହି ଅବସରରେ ସ୍ପଷ୍ଟ କରିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ୩୦% ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ୍ । ଦେଶରେ ସରକାରୀ ଚାକିରିର ୯୩ ପ୍ରତିଶତ ଅସଂରକ୍ଷିତ ରହିବ ବୋଲି ସୁପ୍ରିମକୋର୍ଟ କୋର୍ଟ କହିଛନ୍ତି । କେବଳ ୭% ନିଯୁକ୍ତି ଆଶାୟୀଙ୍କୁ ହିଁ ସଂରକ୍ଷଣ ପ୍ରକ୍ରିୟା ଅନ୍ତର୍ଗତ ନିଯୁକ୍ତି ମିଳିବ । ଏଥିମଧ୍ୟରୁ ୫% ଆଶାୟୀ ୧୯୭୧ ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ସେହିପରି ବାକି ୨% ସଂଖ୍ୟାଲଘୁ, ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡର ବର୍ଗର ହିତାଧିକାରୀଙ୍କ ପାଇଁ ସଂରକ୍ଷିତ ରହିବ । ସୁପ୍ରିମକୋର୍ଟଙ୍କ ଅନୁସାରେ ବାକି ୯୩% ନିଯୁକ୍ତି କେବଳ ଆଶାୟୀଙ୍କ ଯୋଗ୍ୟତା ମାନଦଣ୍ଡ ଅନ୍ତର୍ଗତ କରାଯିବ । ଏହା ସହିତ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିକ୍ଷୋଭ, ଆନ୍ଦୋଳନ ପରିହାର କରି ଶ୍ରେଣୀଗୃହକୁ ଫେରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିକ୍ଷୋଭରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ଅଭିହିତ କରାଯାଉଛି ।

ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାମାନଙ୍କ ପାଇଁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ବ୍ୟବସ୍ଥା ରଖାଯିବା ନେଇ ଢ଼ାକା ହାଇକୋର୍ଟ ରାୟ ଦେବା ପରେ ପରେ ଏହାର ପ୍ରତିବାଦରେ ଛାତ୍ର ସଂଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଥିଲେ । ଏଥିରେ ଅନ୍ୟମାନେ ସାମିଲ ହେବା ପରେ ଗତ ମଙ୍ଗଳବାର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଇତି ମଧ୍ୟରେ ବିକ୍ଷୋଭକାରୀଙ୍କ ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଯୋଗୁ ସାଧାରଣ ଜନଜୀବନ ବିପଦରେ ପଡ଼ିଯାଇଛି । ଅପରପକ୍ଷେ ସୁରକ୍ଷା କର୍ମୀ ତଥା ସେନା ପକ୍ଷରୁ ଗ୍ରହଣ କରାଯାଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ପ୍ରାୟ ୧୩୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ବିଦେଶୀ ଛାତ୍ରଛାତ୍ରୀମାନେ ଏବେ ନିଜ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାରେ ଲାଗିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାର ମଧ୍ୟ ବିକ୍ଷୋଭକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏସବୁ ମଧ୍ୟରେ ଆଜି ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାର ଶୁଣାଣି କରିବା ପୂର୍ବକ ଉପରୋକ୍ତ ରାୟ ଦେଇଛନ୍ତି । ୧୫ ବର୍ଷ କାର୍ଯ୍ୟକାଳ ପରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ପ୍ରଥମ ଥର ପାଇଁ ଏପ୍ରକାର ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ୨୦ଦିନରୁ ଊର୍ଦ୍ଧ୍ୱ ସମୟ ଧରି କର୍ଫ୍ୟୁ, ବନ୍ଦ, ଏପରିକି ସଟ୍‌ଡାଉନ୍ ପରିସ୍ଥିତି ଦେଖିବାକୁ ମିଳିଆସୁଥିଲା । କିନ୍ତୁ ଏବେ ପରିସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking