– ସୁପର୍-୮ରେ ଜିମ୍ବାୱେ
– ବର୍ଷା କାରଣରୁ ଜିମ୍ବାୱେ-ଆୟର୍ଲାଣ୍ଡ ମ୍ୟାଚ୍ ରଦ୍ଦ
– କଙ୍ଗାରୁ ଦ୍ୱିତୀୟ ଥର ଗ୍ରୁପ୍ ପର୍ଯ୍ୟାୟରୁ ବାହାର
ପାଲ୍ଲେକେଲ: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ମଙ୍ଗଳବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨୦୨୧ ସଂସ୍କରଣ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ୍ର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। କାଣ୍ଡିର ପାଲ୍ଲେକେଲ ଷ୍ଟାଡିୟମ୍ରେ ଆଜି ଖେଳାଯିବାକୁ ଥିବା ଜିମ୍ବାୱେ ଓ ଆୟର୍ଲାଣ୍ଡ୍ ମଧ୍ୟରେ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି। ଏପରିକି ଟସ୍ ମଧ୍ୟ ପଡ଼ିପାରି ନଥିଲା। ଏହା ସହିତ ଜିମ୍ବାୱେ ସୁପର୍-୮ରେ ପ୍ରବେଶ କରିଛି। ଦିନକ ପୂର୍ବରୁ ଶ୍ରୀଲଙ୍କା ୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଏହା ପୂର୍ବରୁ ଫେବୃଆରୀ ୧୩ରେ ଜିମ୍ବାୱେ ୨୩ ରନ୍ରେ ହରାଇଥିଲା। ଏବେ ଅଷ୍ଟ୍ରେଲିଆ ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟରେ ଓମାନ୍କୁ ୨୦ ତାରିଖରେ ଭେଟିବ। ଏହି ଗୁରୁତ୍ୱହୀନ ମ୍ୟାଚ୍ରେ ବିଜୟୀ ହେଲେ ମିଚେଲ୍ ମାର୍ଶଙ୍କ ଟିମ୍ ପରବର୍ତ୍ତୀ ରାଉଣ୍ଡ୍ରେ ପ୍ରବେଶ କରିପାରିବ ନାହିଁ। ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଥର ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ୨୦୦୯ରେ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁ ବାହାର ହୋଇଯାଇଥିଲା। ଗ୍ରୁପ୍-ବି’ରୁ ଶ୍ରୀଲଙ୍କା ୬ ପଏଣ୍ଟ୍ ଏବଂ ଜିମ୍ବାୱେ ୫ ପଏଣ୍ଟ୍ ସହିତ ସୁପର୍-୮ରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଏବେ ଅନ୍ତିମ ମ୍ୟାଚ୍ ଜିତିଲେ ବି ୪ ପଏଣ୍ଟ୍ ହେବ। ଗୋଟିଏ ଗ୍ରୁପ୍ରୁ ଦୁଇଟି ଟିମ୍ ପରବର୍ତ୍ତୀ ରାଉଣ୍ଡ୍କୁ ଯିବାର ଥିବାରୁ ଅଷ୍ଟ୍ରେଲିଆ ବାଦ୍ ପଡ଼ିଛି। ସୁପର୍-୮ରେ ପହଞ୍ଚିବା ସହିତ ଜିମ୍ବାୱେ ୨୦୨୮ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନେଇଛି। ଟିମ୍କୁ ଏବେ କ୍ୱାଲିଫାୟର୍ ଖେଳିବାକୁ ପଡ଼ିବ ନାହିଁ। ନିୟମ ଅନୁସାରେ ଶୀର୍ଷ-୮ ଟିମ୍ ଏବଂ ଆୟୋଜକ ଦେଶ ବିଶ୍ୱକପ୍ରେ ସିଧା ଖେଳିଥାନ୍ତି। ଅନ୍ୟପକ୍ଷରେ ବାକି ଟିମ୍ଙ୍କୁ କ୍ୱାଲିଫାୟର୍ ଖେଳିବାକୁ ପଡ଼ିଥାଏ।
ଅନ୍ୟ ଗ୍ରୁପ୍ଗୁଡ଼ିକରୁ ଆୟୋଜକ ଭାରତ, ଇଂଲଣ୍ଡ, ସାଉଥ୍ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟ ସୁପର୍-୮ରେ ସ୍ଥାନ ପକ୍କା କରିସାରିଛନ୍ତି। ଏବେ ଅନ୍ତିମ ସୁପର୍-୮ ସ୍ଥାନ ପାଇଁ ପାକିସ୍ତାନ ଓ ଆମେରିକା ମଧ୍ୟରେ ମୁକାବିଲା ବାକି ରହିଛି। ଫଳରେ ଫେବୃଆରୀ ୧୮ରେ ହେବାକୁ ଥିବା ନାମ୍ବିୟା ବିପକ୍ଷ ମ୍ୟାଚ୍ ପାକିସ୍ତାନ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ପାକିସ୍ତାନ ଏଥିରେ ବିଜୟୀ ହେଲେ ସୁପର୍-୮ ଖେଳିବ। ନଚେତ୍ ଆମେରିକାର ସୁପର୍-୮ରେ ପହଞ୍ଚିଯିବ। ଜିମ୍ବାୱେ ସୁପର୍-୮ରେ ପହଞ୍ଚିବା ପରେ ଗ୍ରୁପ୍-୧ର ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଛି। ସୁପର୍-୮ର ଗ୍ରୁପ୍-୧ରେ ଭାରତ, ସାଉଥ୍ ଆଫ୍ରିକା, ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ରହିଛନ୍ତି। ଭାରତ ସୁପର୍-୮ରେ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୨ ତାରିଖରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବ। ସେହିପରି ୨୬ ତାରିଖରେ ଟିମ୍ ଚେନ୍ନାଇରେ ଜିମ୍ବାୱେକୁ ଭେଟିବ। ଭାରତର ଶେଷ ସୁପର୍-୮ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ସହ ହେବ। ଏହି ମ୍ୟାଚ୍ କୋଲ୍କାତାରେ ଖେଳାଯିବ। ସୁପର୍-୮ରେ ଗ୍ରୁପ୍-୧ର ସମସ୍ତ ମ୍ୟାଚ୍ ଭାରତରେ ଆୟୋଜିତ ହେବ। ଗ୍ରୁପ୍-୨ରେ ଏବେ ସୁଦ୍ଧା ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି। ଶେଷ ଟିମ୍ ଭାବେ ପାକିସ୍ତାନ କିମ୍ବା ଆମେରିକା ଯୋଗ୍ୟତା ଅର୍ଜନ କରିବ। ଏହି ଗ୍ରୁପ୍ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଚଳିତ ବିଶ୍ୱକପ୍ରେ ରଦ୍ଦ ହେବାରେ ଜିମ୍ବାୱେ-ଆୟର୍ଲାଣ୍ଡ୍ ମ୍ୟାଚ୍ ପ୍ରଥମ ମ୍ୟାଚ୍। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ମୋଟ ୮ ମ୍ୟାଚ୍ ରଦ୍ଦ ହୋଇଛି। ୨୦୧୬ ସଂସ୍କରଣରେ ଦୁଇଟି ମ୍ୟାଚ୍ ରଦ୍ଦ ହୋଇଥିଲା। ୨୦୦୭, ୨୦୧୦, ୨୦୧୨, ୨୦୨୨ ଏବଂ ୨୦୨୪ରେ ଗୋଟିଏ ଲେଖାଏଁ ମ୍ୟାଚ୍ ହୋଇପାରି ନଥିଲା।










