22.1 C
Bhubaneswar
Friday, January 16, 2026
Homeଓଡିଶାଛୋଟ ପ୍ରୟାସରୁ ଆସିବ ବଡ଼ ପରିବର୍ତ୍ତନ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଛୋଟ ପ୍ରୟାସରୁ ଆସିବ ବଡ଼ ପରିବର୍ତ୍ତନ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ବର ପରିଦର୍ଶନରେ ଆସି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି । ଏହି ଆଲୋଚନାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ସୁଶ୍ରୀ ଅର୍ଚ୍ଚନା ଶର୍ମା ଅବସ୍ତି, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ଃ ଏନ୍.ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE&SCERT) ର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଏନସିଇଆରଟିର ବରିଷ୍ଠ ପ୍ରାଧ୍ୟାପକ ରଞ୍ଜନ ଅରୋରା ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହ ୩୦ ଗୋଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରିନ୍ସିପାଲ୍ ମଧ୍ୟ ଆଭାସୀ ମାଧ୍ୟମରେ ସାମିଲ୍ ହୋଇଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶ କରୁଛନ୍ତି ରାଜ୍ୟ ସରକାର । ଆଗାମୀ ୨୦୨୬-୨୭ ଶିକ୍ଷା ବର୍ଷରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୫ ଟି ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ, ଏନେଇ ଜିଲ୍ଲାର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପାଠ୍ୟକ୍ରମର ବିକାଶ ଏବଂ ମାଷ୍ଟର ରିସୋର୍ସ ପର୍ସନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ଜିଲ୍ଲାମାନଙ୍କୁ ପଚାରିବୁଝିଥିଲେ । ଏଥିସହ ନୂଆ ବହି ସମ୍ପର୍କରେ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ୪ ଗୋଟି ପରାମର୍ଶ ଦେଇଛନ୍ତି । ପ୍ରଥମେ ନିପୁଣ ଭାରତକୁ ପ୍ରାଧାନ୍ୟ ଦେଇ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ (FLN) କୁ ସୁଦୃଢ଼ କରିବା ଉପରେ ପରାମର୍ଶ ଦେଇଛନ୍ତି । ଦ୍ବିତୀୟରେ ଅତିକମ୍ ରେ ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ତୃତୀୟରେ ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ପିଏମ-ପୋଷଣକୁ ସୁଦୃଢ଼ କରିବା ଦିଗରେ ପରାମର୍ଶ ଦେଇଛନ୍ତି । ଚତୁର୍ଥରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାତୀୟ ଶିକ୍ଷା ନୀତିରେ ଥିବା ବର୍ଷକୁ ୧୦ ଦିନ ବସ୍ତାନୀ ବିହୀନ ବିଦ୍ୟାଳୟ ପ୍ରଚଳନକୁ ଅଧିକ ବ୍ୟାପକ କରିବା ଦିଗରେ ପରାମର୍ଶ ଦେଇଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ରାଜ୍ୟ ସରକାର ବିକଶିତ କରିଥିବା ନୂତନ ପାଠ୍ୟପୁସ୍ତକ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଓଡ଼ିଶା ୫୫ ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରିଛି । ଏଥିସହ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ତିନୋଟି ନୂତନ ବିଷୟ – କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ଏବଂ ଧନ୍ଦାମୂଳକ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ କରୁଥିବା ସୂଚନା ଦେଇଛନ୍ତି । ସେ ଏହାମଧ୍ୟ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଯେଉଁ ସଂସ୍କାର କରାଯାଉଛି ତାହା କେବଳ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ ପରିବର୍ତ୍ତନ ନୁହେଁ, ବରଂ ପିଲାମାନଙ୍କ ଭବିଷ୍ୟତ ଏବଂ ଓଡ଼ିଶାର ପ୍ରଗତି ପାଇଁ ଏକ ସାମୂହିକ ପ୍ରତିବଦ୍ଧତା ।

କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି, ଜାତୀୟ ଶିକ୍ଷା ନୀତିକୁ ଓଡ଼ିଶାରେ ଭଲ ଭାବରେ ପ୍ରଚଳନ କରିବା ହେଉଛି ଆମର ଦାୟିତ୍ବ । ଏହିକ୍ରମରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ମାଷ୍ଟର ରିସୋର୍ସ ପର୍ସନ ମାନେ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିକଟରେ ପହଞ୍ଚାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ TE&SCERTର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟାନ୍ୱୟନ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଓଡ଼ିଶାର ସକ୍ରିୟ ଆଭିମୁଖ୍ୟ ରହିଛି । ଜାନୁଆରୀ ୨୦୨୫ ରେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ନୀତି ନିର୍ଣ୍ଣାୟକଙ୍କ ଅଂଶଗ୍ରହଣରେ ଅନୁଷ୍ଠିତ ଜାତୀୟସ୍ତରୀୟ ସମ୍ମିଳନୀର ଆୟୋଜନରେ ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ଏବଂ ଓଡ଼ିଶାର ସାଂସ୍କୃତିକ ଦୃଷ୍ଟିପଟକୁ ନେଇ କିପରି ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି, ବିଦ୍ୟାଳୟ ଶିକ୍ଷା ନିମନ୍ତେ ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା ବିକଶିତ କରିଛି । ଏହି ପାଠ୍ୟକ୍ରମ ଢାଞ୍ଚା ଏନସିଇଆରଟି ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୫ , ୨୦୨୫ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଏହାର ଉନ୍ମୋଚନ କରିଛନ୍ତି ।

ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ଦ୍ଵାରା ୫୫ ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରାଯାଇଛି । ଏହା ରାଜ୍ୟର ଆବଶ୍ୟକତା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବ । ସମସ୍ତ ନୂତନ ପାଠ୍ୟପୁସ୍ତକ ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟର ଚାରୋଟି ଜୋନରେ ୪ ଟି ବ୍ୟାଚରେ ୧୦୦୦ ମାଷ୍ଟର ରିସୋର୍ସ ପର୍ସନଙ୍କୁ ଦିଗଦର୍ଶନ ଦିଆଯାଇଛି । ଏହି ମାଷ୍ଟର ରିସୋର୍ସ ପର୍ସନ ଗଣଶିକ୍ଷା ବିଭାଗ ଏବଂ ଜନଜାତି ବିଭାଗର ୧.୬୬ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking