30.1 C
Bhubaneswar
Monday, July 8, 2024
Homeଦେଶ ବିଦେଶରାଜସ୍ଥାନ ସରକାରକୁ ବଡ଼ ଝଟ୍‌କା; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିରୋଡି ଲାଲ୍‌

ରାଜସ୍ଥାନ ସରକାରକୁ ବଡ଼ ଝଟ୍‌କା; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିରୋଡି ଲାଲ୍‌

ଜୟପୁର:  ରାଜସ୍ଥାନ ବିଜେପି ସରକାର ଓ ପ୍ରଦେଶ ବିଜେପିକୁ ଆଜି ଏକ ଜୋରଦାର ଝଟ୍‌କା ଲାଗିଛି । ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ କିରୋଡି ଲାଲ୍ ମୀନା ଆଜି ସକାଳୁ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କିରୋଡ଼ି ଲାଲ୍ ମୀନାଙ୍କୁ ରାଜ୍ୟ କ୍ୟାବିନେଟ୍‌ରେ କୃଷି ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଆଜି ସେ ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି । ରାଜସ୍ଥାନରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ଦିନଠାରୁ କିରୋଡି ଲାଲ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା । ବର୍ତ୍ତମାନ ସେ ଏହି ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ।
ପ୍ରକାଶ, ଲୋକସଭା ନିର୍ବାଚନ ପୂର୍ବରୁ ହିଁ କିରୋଡି ଲାଲ୍ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲେ । ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ବିଜେପିର ବିଜୟକୁ ନେଇ ଦମ୍ଭୋକ୍ତି ଦେଖାଇବାକୁ ଯାଇ ସେତେବେଳେ ସେ କହିଥିଲେ ଯେ, ଯଦି ବିଜେପି ରାଜ୍ୟର ସମସ୍ତ ୭ଟି ଆସନରେ ବିଜୟୀ ନହୁଏ, ତେବେ ସେ ନିଜ ପଦରୁ ଇସ୍ତଫା ଦେବେ । ଫଳାଫଳ ଆସିବା ପରେ ବିଜେପିକୁ ୭ଟି ଆସନ ମଧ୍ୟରୁ ୩ଟିରେ ବିଜୟ ମିଳିଥିବା ବେଳେ ୪ଟି ଆସନରେ ପରାଜିତ ହେବାକୁ ପଡିଥିଲା । ଏପରିକି କିରୋଡିଲାଲ ମୀନାଙ୍କ ନିଜ ସଂସଦୀୟ କ୍ଷେତ୍ର ଡାଉସା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କହ୍ନେୟାଲାଲ ମୀନାଙ୍କୁ ମଧ୍ୟ ପରାଜୟ ବରଣ କରିବାକୁ ପଡିଥିଲା । ରାଜସ୍ଥାନରେ ବିଜେପିର ଏପ୍ରକାର ପରାଜୟ ପାଇଁ ସେ ନିଜକୁ ଉତ୍ତରଦାୟୀ କରିଥିଲେ ।  ଏହା ପରେ ମୀନାଙ୍କ ଇସ୍ତଫା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।
ତେବେ ଆଜି ସେ ନିଜ ଇସ୍ତଫା ସମ୍ପର୍କରେ  ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ସୂଚନା ଦେଇଛନ୍ତି । ମୀନା କହିଛନ୍ତି , ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ କରି ସେ ତାଙ୍କ ଇସ୍ତଫା ପତ୍ର ଗତ ୧୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ପଠାଇ ସାରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏପରି ଚରମ ନିଷ୍ପତ୍ତି ନନେବାକୁ ବାରମ୍ବାର ଅନୁରୋଧ କରିଆସୁଥିଲେ । ଏଥିପାଇଁ ସେ ଆଜି ପର୍ଯ୍ୟନ୍ତ ନିଜ ଇସ୍ତଫା ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ । ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିବା ଜଣାପଡିଛି । ତେବେ ସେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking