ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ସେଟଲମେଣ୍ଟ ( ଆଇ ଆଇ ଏଚ୍ ଏସ୍) ଦ୍ଵାରା ଆୟୋଜିତ “ସହରାଞ୍ଚଳ ନୀତି ସମ୍ପର୍କିତ ଆଲୋଚନା ଚକ୍ର ୨୦୨୫”ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଂଶଗ୍ରହଣ କରି ସହରମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି , ସମ୍ମାନ ଓ ସୁରକ୍ଷା ରୂପରେଖ ପ୍ରସ୍ତୁତ କରିବା ଜରୁରୀ ବୋଲି ମତ ବ୍ୟକ୍ତ କରିଛନ୍ତି l ଏହା ଦେଶର ନଗର ବିକାଶ ନୀତି ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ରୂପରେଖ ସମ୍ପର୍କିତ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ମଧ୍ୟ ଶ୍ରୀମତୀ ପାଢୀ ଅବହିତ କହିଛନ୍ତି l
“ସହରାଞ୍ଚଳ ଭାରତରେ ଅଟକି ରହିଥିବା ସମ୍ପତ୍ତିର ସଙ୍କଟ” ଶୀର୍ଷକ ଆଲୋଚନାରେ ଯୋଗଦେଇ ଶ୍ରୀମତୀ ପଢ଼ୀ କହିଥିଲେ ଯେ, ସହର ପରିକଳ୍ପନା ସ୍ଥିର, ବାତ୍ୟା ନିରୋଧୀ ଏବଂ ନାଗରିକ କେନ୍ଦ୍ରିକ ହେବା ଆବଶ୍ୟକ। ସହରମାନେ କେବଳ ଭୌତିକ ସଂରଚନା ନୁହେଁ — ଏହା ଏକ ସାମାଜିକ ଇକୋ ସିଷ୍ଟମ୍, ଆକାଂକ୍ଷା ଏବଂ ସୁଯୋଗର ସମାହାର। ଏଣୁ ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ସମ୍ମାନ ଓ ସୁରକ୍ଷା ନିମନ୍ତେ ରୂପରେଖ ପ୍ରସ୍ତୁତ କରିବା ଜରୁୁରି।
ଏହି ଗସ୍ତ ସମୟରେ ସେ, ଗ୍ରେଟର ବେଙ୍ଗାଲୁରୁ ଅଥରିଟିର ମୁଖ୍ୟ ଆୟୁକ୍ତଙ୍କ ସହ ଏକ ଟେକ୍ନିକାଲ ଆଲୋଚନା କରିଛନ୍ତି, ଯାହା ଦ୍ରୁତଗତିରେ ବଢ଼ୁଥିବା ସହରଗୁଡ଼ିକରେ ଶକ୍ତିଶାଳୀ ଶାସନ ଗଠନ ଓ ପ୍ରତିଷ୍ଠାନଗତ ସୁଦୃଢ଼ତା ନିର୍ମାଣ ଉପରେ କେନ୍ଦ୍ରିତ ଥିଲା। ଆଲୋଚନାରେ ସହରମାନଙ୍କୁ ଅର୍ଥନୈତିକ ଶକ୍ତିକେନ୍ଦ୍ର, ନବୀନତା ହବ୍ ଏବଂ ସମାନ ସୁଯୋଗ ଦେଇଥିବା ଅବସ୍ଥାମାନଙ୍କ ଭାବେ ଗଢ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଓଡ଼ିଶାର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସେ କହିଥିଲେ ଯେ, ରାଜ୍ୟ ଟେକ୍ନୋଲୋଜି-ସମର୍ଥିତ, ଗୋଷ୍ଠୀ-ସହଭାଗୀ ଓ ସୁଧାରମୁଖୀ ନଗର ବିକାଶ ଦିଗରେ ଅଗ୍ରସର। ଯାହା ବିକାଶ ଓ ବାସ ଉପଯୋଗୀତାକୁ ସୁନିଶ୍ଚିତ କରେ। ଓଡ଼ିଶା ଲୋକମାନଙ୍କୁ ସଶକ୍ତ କରୁଥିବା, ସମ୍ଭାବନା ଏବଂ ସଯୋଗରେ ଭରପୂର ଭବିଷ୍ୟତମୁଖୀ ସହର ଗଢ଼ିବା ପାଇଁ ସଂକଳ୍ପବଦ୍ଧ।










