20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭାରତ ସରକାରଙ୍କ ବଡ଼ ଘୋଷଣା: ପୁଣି ଚୀନ୍ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା

ଭାରତ ସରକାରଙ୍କ ବଡ଼ ଘୋଷଣା: ପୁଣି ଚୀନ୍ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ଭିସା ପ୍ରସଙ୍ଗରେ ଭାରତ ସରକାର ନିଜ ନୀତିରେ ଏକ ବଡ଼ ପରିବର୍ତ୍ତନ କରିଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଭାରତ ସରକାର ଏବେ ଚୀନ୍ ନାଗରିକଙ୍କୁ ପୁନଃ ପର୍ଯ୍ୟଟନ ଭିଜା ପ୍ରଦାନ କରିବା ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ପୁନଃ ଆରମ୍ଭ ହେବ । ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । ଦୂତାବାସ ଦର୍ଶାଇଛି ଯେ ଚୀନ୍ ସହ ବନ୍ଦ ରହିଥିବା ଭିସା ନୀତିର ପୁନଃ ସମୀକ୍ଷା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏବେ ଠାରୁ ଚୀନ୍ ନାଗରିକଙ୍କୁ ପୁନଃ ପର୍ଯ୍ୟଟନ ଭିସା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏପରି ହେଲେ ଦୀର୍ଘ ୫ ବର୍ଷ ପରେ ପୁଣିଥରେ ଚୀନ୍ ନାଗରିକଙ୍କୁ ଭାରତ ପର୍ଯ୍ୟଟନ ଭିସା ପ୍ରଦାନ କରିବ ବୋଲି ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ କୋଭିଡ -୧୯ ମହାମାରୀ ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିସାକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିଥିଲା । ପରେ ଗଲୱାନ୍ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ପରିସ୍ଥିତିକୁ ଅଧିକ ଖରାପ କରିଦେଇଥିଲା । ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ପ୍ରାୟ ସ୍ଥଗିତ ହୋଇଯାଇଥିଲା । ସେବେଠାରୁ ଚୀନ୍ ନାଗରିକଙ୍କ ପାଇଁ ଭାରତ ଭିସା ସେବା ବନ୍ଦ ରଖିଆସିଥିଲା । କିନ୍ତୁ ବିଗତ ବର୍ଷଗୁଡ଼ିକରେ, ଚୀନ୍ କିନ୍ତୁ ଭାରତୀୟ ଛାତ୍ର ଏବଂ ବ୍ୟବସାୟୀଙ୍କୁ ଭିସା ଦେବା ଆରମ୍ଭ କରିଛି । ଅବଶ୍ୟ ଏହା ଭାରତୀୟଙ୍କ ସାଧାରଣ ଯାତ୍ରା ଉପରେ ପ୍ରତିବନ୍ଧକ ଜାରି ରଖିଛି । ତେବେ ଭାରତ ମଧ୍ୟ ଏବେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପୁନଃ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୂତାବାସ ସ୍ପଷ୍ଟ କରିଛି ଯେ, ବେଜିଂରେ ଥିବା ଭାରତୀୟ ଭିସା କେନ୍ଦ୍ରରେ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଏକ ସଠିକ ଦସ୍ତଖତଯୁକ୍ତ ‘ପାସପୋର୍ଟ ପ୍ରତ୍ୟାହାର ପତ୍ର’ ବାଧ୍ୟତାମୂଳକ ହେବ । ଭାରତୀୟ ଭିସା ପାଇବା ପାଇଁ ଆଗ୍ରହୀ ଚୀନ୍ ନାଗରିକଙ୍କୁ ସର୍ବପ୍ରଥମେ ୱେବ୍ ଲିଙ୍କ୍‌ରେ ଅନଲାଇନ୍ ଭିସା ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପଡିବ । ଏହା ପରେ, ୱେବ୍‌ଲିଙ୍କରେ ଏକ ନିଯୁକ୍ତି ନେବାକୁ ପଡିବ । ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଆବେଦନ ଦାଖଲ କରିବା ପାଇଁ ସେମାନଙ୍କୁ ପାସପୋର୍ଟ, ଭିସା ଆବେଦନ ପତ୍ର ଏବଂ ଅନ୍ୟାନ୍ୟ ସମ୍ପର୍କିତ ଡକ୍ୟୁମେଣ୍ଟ ଆଣିବାକୁ ପଡିବ ।

ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ସୃଷ୍ଟି ବିବାଦ ପରେ ପରେ ଖରାପ ହୋଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ଦିଗରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଏବଂ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାର ଯୋଜନା ରହିଛି । କୋଭିଡ୍ ଯୋଗୁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ କହିଛନ୍ତି, ଭାରତ-ଚାଇନା ସମ୍ପର୍କ ଧୀରେ ଧୀରେ ସଠିକ ଦିଗରେ ଅଗ୍ରସର ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking