ପାଟ୍ନା: ବିହାରରେ ନିର୍ମାଣାଧୀନ ଭାଗଲପୁର-ସୁଲତାନ୍ଗଞ୍ଜ୍ ଆଗୱାନି ବ୍ରିଜ୍ ଆଜି ପୁଣିଥରେ ଭୁଶୁଡିପଡ଼ିଛି। ରିପୋର୍ଟ ଅନୁସାରେ ଆଜିକୁ ମିଶାଇ ଏହି ନିର୍ମାଣାଧୀନ ବ୍ରିଜ୍ ଟି ୩ଥର ଭୁଶୁଡି ସାରିଲାଣି। ଗଙ୍ଗା ନଦୀ ଉପରେ ନିର୍ମାଣ ହେଉଥିବା ଏହି ୪ ଲେନ୍ ବିଶିଷ୍ଟ ବ୍ରିଜ୍ଟିର ୯ନଂ ପିଲାରୁ ୧୦ ନଂ ପିଲାର ମଧ୍ୟରେ ରହିଥିବା ଅଂଶ (ସୁଲତାନଗଞ୍ଜରୁ ଆଗୱାନି ଘାଟ ପର୍ଯ୍ୟନ୍ତ) ଗଙ୍ଗା ନଦୀରେ ଖସିପଡ଼ିଛି। ପ୍ରକାଶ, ଏସ୍ପି ସିଙ୍ଗଲା କମ୍ପାନୀ ଏହି ବ୍ରିଜ୍ଟିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ବ୍ରିଜ୍ଟି ବାରମ୍ବାର ଏପ୍ରକାର ଭୁଶୁଡିପଡ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଞ୍ଜରେ ଏହି ବ୍ରିଜ୍ ନିର୍ମାଣ କରାଯାଉଛି।
୨୭ ଏପ୍ରିଲ ୨୦୨୨ରେ ପ୍ରଥମ ଥର ପାଇଁ ବ୍ରିଜ୍ଟିର କିଛି ଅଂଶ ଭୁଶୁଡି ଖସିପଡ଼ିଥିଲା। ପ୍ରବଳ ଝଡ଼ ଓ ବର୍ଷା ହେତୁ ପ୍ରାୟ ୧୦୦ ଫୁଟ ଲମ୍ବର ଅଂଶ ନଦୀରେ ପଡ଼ିଯାଇଥିଲା। ତେବେ ସେତେବେଳେ କୌଣସି ମୃତାହତ ସମ୍ପର୍କୀତ ଖବର ଆସିନଥିଲା। ସେହିପରି ୪ ଜୁନ୍ ୨୦୨୩ରେ ସୁଲତାନଗଞ୍ଜ-ଆଗୱାନି ବ୍ରିଜ୍ ୨ୟ ଥର ପାଇଁ ଭୁଶୁଡି ଥିଲା। ଏହି ସମୟରେ ବ୍ରିଜ୍ ଉପରେ ଡ୍ୟୁଟି କରୁଥିବା ୨ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ବ୍ରିଜ୍ଟି ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ଖସିପଡ଼ିଥିଲା। ସେହିପରି ତେବେ ବର୍ତ୍ତମାନ ସୁଦ୍ଧା ଏହି ବ୍ରିଜ୍ଟିର ପ୍ରାୟ ୮୦% କାର୍ଯ୍ୟ ସମାପ୍ତ ହୋଇସାରିଥିବା ବେଳେ ଏହା ୩ୟ ଥର ପାଇଁ ଭୁଶୁଡ଼ି ପଡ଼ିଛି।
ସୂଚନାଯୋଗ୍ୟ, ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରୁଥିବା ବିହାର ସରକାରଙ୍କ ଏକ ଉଚ୍ଚକୋଟୀର ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୧୭୧୦.୭୭ କୋଟି ଟଙ୍କା ରହିଛି। ୨୩ ଫେବୃଆରୀ ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ବ୍ରିଜ୍ ଏବଂ ରାସ୍ତା ନିର୍ମାଣ ସହିତ ଏନ୍ଏଚ୍ ୩୧ ଏବଂ ଏନ୍ଏଚ୍ ୮୦କୁ ସଂଯୋଗ କରାଯିବ। ଏହି ବ୍ରିଜ୍ର ଲମ୍ବ ୩.୧୬୦ କିଲୋମିଟର ହୋଇଥିବା ବେଳେ ଆପ୍ରୋଚ୍ ରୋଡ୍ର ଦୈର୍ଘ୍ୟ ୨୫ କିଲୋମିଟର ରହିଛି।










