ମୁମ୍ବାଇ: ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତି ମାମଲାରେ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଏବଂ ତାଙ୍କ ପରିବାରକୁ ଆୟକର ବିଭାଗ ଅପାଲେଟ୍ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ୨୦୨୧ରେ ଆୟକର ବିଭାଗ ପକ୍ଷରୁ ରୁଜୁ ହୋଇଥିବା ଏହି ବେନାମୀ ସମ୍ପତ୍ତି ମାମଲା ଉପରେ ଶୁଣାଣି କରି ଟ୍ରିବ୍ୟୁନାଲ ତାଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି। ଏଥିସହ ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଥିବା ତାଙ୍କ ସମ୍ପତ୍ତିକୁ ମଧ୍ୟ ମୁକ୍ତ କରିବାକୁ ଟ୍ରିବ୍ୟୁନାଲ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଅଜିତ୍ ପୱାରଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଅଭାବ ଥିବା ଦର୍ଶାଇ ଟ୍ରିବ୍ୟୁନାଲ୍ ତାଙ୍କୁ କ୍ଲିନ୍ଚିଟ୍ ଦିଆଯାଉଥିବା ସ୍ପଷ୍ଟ କରିଛନ୍ତି।ପ୍ରକାଶ, ୨୦୨୧ରେ ଆୟକର ବିଭାଗ ଜରାନଦେଶ୍ୱର ସୁଗାର ମିଲ୍ ଆଳରେ ପ୍ରାୟ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜିତ ପାୱାର, ତାଙ୍କ ପୁଅ ପାର୍ଥ ପାୱାର ଏବଂ ପତ୍ନୀ ସୁମିତ୍ରା ପାୱାରଙ୍କ ସମ୍ପତ୍ତି ଜବତ କରିଥିଲା। ୭ ଅକ୍ଟୋବର ୨୦୨୧ରେ ବିଭିନ୍ନ କମ୍ପାନୀ ଉପରେ ଚଢ଼ାଉ ବେଳେ ଆୟକର ବିଭାଗ କିଛି କାଗଜପତ୍ର ଜବତ କରିଥିଲା। ଏହି ଦସ୍ତାବିଜଗୁଡିକ ଅଜିତ ପାୱାର ଏବଂ ତାଙ୍କ ପରିବାର ବେନାମୀ ସମ୍ପତ୍ତିର ବୋଲି ଆୟକର ବିଭାଗ ଦାବି କରିଥିଲା। ଏହି ସମୟରେ ଅଜିତ୍ ଏନ୍ସିପି (ଶରଦ ପୱାର)ରେ ଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ନିଜର ଏକ ଦଳ ଏନ୍ସିପି ଗଠନ ପୂର୍ବକ ବିଜେପିର ସହଯୋଗୀ ଦଳ ପାଲଟିଯାଇଥିଲେ। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନଭୀସ ଶପଥ ଗ୍ରହଣ କରିବା ଦିନ ହିଁ ଅଜିତ୍ ପୱାର ଏବଂ ଏକନାଥ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।










