ନୂଆଦିଲ୍ଲୀ: ଆଜିକାଲି ପିଲା ମୋବାଇଲ ବ୍ୟବହାର କରିବା ସାଧାରଣ କଥା ହୋଇଗଲାଣି । ଅନଲାଇନ ଗେମ୍ ଖେଳିବାଠୁ ଆରମ୍ଭ କରି ଭିଡିଓ ଦେଖିବା ପର୍ଯ୍ୟନ୍ତ ଏସବୁ କିଛି ପାଇଁ ଇଣ୍ଟନନେଟ୍ ଆବଶ୍ୟକ ହୁଏ । ଯଦି ଆପଣଙ୍କ ପିଲା ବି ମୋବାଇଲ ବ୍ୟବହାର କରୁଛନ୍ତି, ତେବେ ଖୁବ୍ଶୀଘ୍ର ହୋଇଯାନ୍ତୁ ସାବଧାନ ! ନହେଲେ ଆପଣଙ୍କ ପିଲା ବି ପଡ଼ିପାରନ୍ତି ବିପଦରେ । ପିଲାଙ୍କ ପାଇଁ ଘାତକ ହୋଇପାରେ ଇଣ୍ଟରନେଟ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତି ୧୨ ଶିଶୁରେ ଜଣେ ଅନଲାଇନ ଯୌନ ନିର୍ଯ୍ୟାତନାର ହେଉଛନ୍ତି ଶିକାର । ପିଲାମାନଙ୍କ ଏହି ଇଣ୍ଟରନେଟ୍ର ବ୍ୟବହାରକୁ ନେଇ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଲାନ୍ସେଟ୍ ଚାଇଲ୍ଡ ଆଣ୍ଡ୍ ଆଡଲସେଣ୍ଟ ହେଲଥ୍ । ଏହି ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରେ ଅନ୍ଲାଇନ୍ ଯୌନ ଶୋଷଣ କିମ୍ବା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବର୍ତ୍ତମାନ ଅନଲାଇନ ଶିଶୁ ଯୌନ ଶୋଷଣ ଓ ନିର୍ଯ୍ୟାତନା ଏକ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଏହା ଅନ୍ଲାଇନ୍ରେ କିମ୍ବା ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ହେଉଥିବା ଯୌନ ଶୋଷଣକୁ ବୁଝାଏ । ଯେଉଁଥିରେ ଅନ୍ଲାଇନ୍ ଅନୁରୋଧ, ଅନ୍ଲାଇନ୍ ଗ୍ରୁମିଂ, ପର୍ଣ୍ଣୋଗ୍ରାଫି ସଂସ୍ପର୍ଶରେ ଆସିବା, ଫଟୋ ଆଧାରିତ ନିର୍ଯ୍ୟାତନା, ଯୌନ ଶୋଷଣ ଆଦି ଅନ୍ତର୍ଭୁକ୍ତ । ୨୦୧୦ରୁ ୨୦୨୩ ମଧ୍ୟରେ କରାଯାଇଥିବା ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତି ୮ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଫଟୋ ଆଧାରିତ ନିର୍ଯ୍ୟାତନାରେ ୧୨.୬% ଓ ଅନ୍ଲାଇନ୍ ଅନୁରୋଧରେ ୧୨.୫% ଦ୍ୱାରା ପ୍ରଭାବିତ ହୋଇଥିଲେ । ୨୧ ଜଣଙ୍କ ମଧ୍ୟରୁ ଜଣେ ଅନଲାଇନ ଯୌନ ଶୋଷଣ ୪.୭% ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ୨୮ ଜଣଙ୍କ ମଧ୍ୟରୁ ଜଣେ ଯୌନ ଚାଲାଣ ୩.୫% ଦ୍ୱାରା ପ୍ରଭାବିତ ହୋଇଥିଲେ ।