26.1 C
Bhubaneswar
Friday, March 13, 2026
Homeଓଡିଶାବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା : ରାଜ୍ୟ ସ୍ତରୀୟ ପ୍ରକଳ୍ପ ପରିଚାଳନା କମିଟିର ପ୍ରଥମ ବୈଠକ

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା : ରାଜ୍ୟ ସ୍ତରୀୟ ପ୍ରକଳ୍ପ ପରିଚାଳନା କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: କାର୍ଯ୍ୟକାରୀ ନିମନ୍ତେ ଗଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରକଳ୍ପ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ।

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ। ଏଥିସହ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ବାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ। ବରପୁତ୍ରମାନଙ୍କର ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବରପୁତ୍ରମାନଙ୍କର ଆଦର୍ଶ ଓ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର କରାଯିବ।

ପ୍ରଥମ ପର୍ଯ୍ୟାୟରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ୨୫ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି। ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ନିମନ୍ତେ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ୨୫ଜଣ ବରପୁତ୍ରମାନଙ୍କ ଗ୍ରାମର ବିକାଶ ପାଇଁ ସର୍ବାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ। କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ, ପୁରୀ ଜିଲ୍ଲାର ଆଚାର୍ଯ୍ୟ ହରିହର ଦାସ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର, ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରର ଜୟୀ ରାଜଗୁର, ପୁରୀ ଜିଲ୍ଲା ଗଡ଼ରୋଡ଼ଙ୍ଗର ବକ୍ସି ଜଗବନ୍ଧୁ, ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ପଣ୍ଡିତ ନୀଳକଣ୍ଠ ଦାସ, କୋରାପୁଟ ଜିଲ୍ଲାର ଲକ୍ଷ୍ମୀ ଇନ୍ଦିରା ପଣ୍ଡା, କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀ, କଟକ ଜିଲ୍ଲାର ମା ରମାଦେବୀ ଓ କର୍ମବୀର ଗୌରୀଶଙ୍କର, ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ସେନାପତି, ଗଞ୍ଜାମ ଜିଲ୍ଲାର ଚକରା ବିଶୋଇ ଓ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଢେଙ୍କାନାଳ ଜିଲ୍ଲାର ସହିଦ ବାଜି ରାଉତ, ଗଜପତି ଜିଲ୍ଲାର କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁ, ଖୋର୍ଦ୍ଧା ଜିଲ୍ଲାର ଗୋଦାବରୀଶ ମିଶ୍ର, ସମ୍ବଲପୁର ଜିଲ୍ଲାର ବୀର ସୁରେନ୍ଦ୍ର ସାଏ, ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଓ ସହିଦ ମାଧୋ ସିଂ, ଭଦ୍ରକ ଜିଲ୍ଲାର ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଡ଼. ହରେକୃଷ୍ଣ ମହତାବ, କେଉଁଝର ଜିଲ୍ଲାର ବିପ୍ଲବୀ ଧରଣୀଧର ଭୂୟାଁ, ବଲାଙ୍ଗୀର ଜିଲ୍ଲାର ସହିଦ ଧରମ ସିଂ ମାଝୀ ମାନ୍ଧାତା ଆଦିଙ୍କ ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି।

ଆଜିର ବୈଠକରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାପାଳମାନଙ୍କୁ ବରପୁତ୍ରମାନଙ୍କ ଗ୍ରାମ ବା ନିକଟବର୍ତ୍ତୀ ଅଞ୍ଚଳରେ ୨-୩ ଏକର ଜାଗା ଚିହ୍ନଟ କରି ସଂସ୍କୃତି ବିଭାଗକୁ ଯଥାଶୀଘ୍ର ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବରପୁତ୍ରମାନଙ୍କର ଗ୍ରାମର ବିକାଶ ଏବଂ ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟରେ ବରପୁତ୍ରମାନଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ। ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅନ୍ତର୍ଗତ ପ୍ରତ୍ୟେକଟି କାର୍ଯ୍ୟ ଯଥା ବରପୁତ୍ରମାନଙ୍କ ନେଇ ନିର୍ମିତ ହେବାକୁ ଥିବା ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର ଆଦିର ସୁପରିଚାଳନା, ରକ୍ଷଣାବେକ୍ଷଣ, ସ୍ଥାନୀୟ ଲୋକକଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଏବଂ ସ୍ଥାନୀୟ ଲୋକମାନଙ୍କର ଅଂଶଗ୍ରହଣକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବେ।ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାମ ଗୁଡ଼ିକୁ ଯେପରି ପର୍ଯ୍ୟଟନ ସ୍ଥଳୀ ରୂପେ ବିକାଶ କରାଯାଇପାରିବ ଏବଂ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ସହ ଲୋକମାନଙ୍କ ପାଇଁ ନୂତନ ଜୀବିକା ଯେପରି ସୃଷ୍ଟି ହୋଇପାରିବ ସେ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର କାର୍ଯ୍ୟକାରିତା ପାଇଁ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟକୁ ତ୍ବରାନିତ୍ବ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

“ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଆମ ବରପୁତ୍ରମାନଙ୍କର ଜୀବନର ମୂଲ୍ୟବୋଧକୁ ଉଜ୍ଜୀବିତ କରି ରଖିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଆମ ଯୁବପିଢ଼ି ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଅବଗତ ହେବା ସହ ବରପୁତ୍ରମାନଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବେ।ଏହାସହ ଆମ ଲୋକକଳା ଓ ଲୋକସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ”, ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।ଆଜିର ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ଼ା. ବିକୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ପୂର୍ତ୍ତ ବିଭାଗ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ, ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking