ନୂଆଦିଲ୍ଲୀ : ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି! ଇରାକ୍ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି । ଯୁବକ ବୟସର ଯେକୌଣସି ବ୍ୟକ୍ତି ମାତ୍ର ୯ ବର୍ଷର ଛୋଟ ଝିଅକୁ ବିବାହ କରିପାରିବେ ବୋଲି ଇରାକ୍ ସରକାର ଘୋଷଣା କରିଛନ୍ତି । ଏହା ସହ ମହିଳାମାନଙ୍କୁ ଛାଡପତ୍ର, ଶିଶୁ ସୁରକ୍ଷା ଏବଂ ଉତ୍ତରାଧିକାରୀ ଅଧିକାରରୁ ବଞ୍ଚିତ କରିବାକୁ ମଧ୍ୟ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହି ବିଲ୍ ନାଗରିକମାନଙ୍କୁ ପାରିବାରିକ କାର୍ଯ୍ୟ ଉପରେ ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ରତା ପ୍ରଦାନ କରିବ ବୋଲି ଇରାକ୍ ସରକାର କହିଛନ୍ତି। ଇରାକ୍ରେ ସିଆ ଦଳର ଏକ ମିଳିତ ମଞ୍ଚ ଦ୍ୱାରା ରକ୍ଷଣଶୀଳ ସରକାର ଚାଲୁଛି । ତେବେ ଏପରି ବିଲ୍ ପାସ୍ କରି ପୁଣି ଥରେ ସରକାର ମହିଳାଙ୍କ ଗୋଡ଼ରେ ବେଡି ବାନ୍ଧିଛନ୍ତି, ତାହା ନିଃସନ୍ଦେହ । ଅନୈତିକ ସମ୍ପର୍କରୁ ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି ନିୟମ ଲାଗୁ କରାଯାଇଥିବା ବୋଲି ସଫେଇ ଦେଇଛନ୍ତି ଇରାକ୍ ସରକାର । ତେବେ ଏହି ଆଇନର ଦ୍ୱିତୀୟ ସଂଶୋଧନ ଗତ ସେପ୍ଟେମ୍ବର ୧୬ ରେ ପାରିତ ହୋଇଥିଲା । ଇରାକ୍?ର ମିଳିତ ସରକାର କହିଛନ୍ତି ଯେ ପ୍ରସ୍ତାବିତ ସଂଶୋଧନ ଇସଲାମୀୟ ସାରିଆ ଆଇନର ଅନୁରୂପ ଅଟେ ।
ଏହା ମୁଖ୍ୟତଃ ଯୁବକ ଯୁବତୀଙ୍କୁ ଅନୈତିକ ସମ୍ପର୍କରୁ ରକ୍ଷା କରିବା ପାଇଁ ପାରିତ ହୋଇଛି । ସଂସଦୀୟ ସଂଖ୍ୟା ଗରିଷ୍ଠତା ଥିବାରୁ ଇରାକ୍ରେ ମହିଳାମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ଏହି ଆଇନ ପ୍ରଣୟନ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପୂର୍ବରୁ ମହିଳାଙ୍କ ଆଇନଗତ ବିବାହ ବୟସ ୧୮ ବର୍ଷ ରହିଥିଲା । ଏହି ନିୟମକୁ ସଂଶୋଧନ କରି ଝିଅମାନଙ୍କ ବାହାଘର ବୟସ ୯ବର୍ଷ କରାଯାଇଛି । ତେବେ ଏହାପୂର୍ବରୁ ଅବ୍ଦୁଲ କରୀମ କାଶିମ୍ ସରକାର ବିବାହ ବୟସ ୧୮ ରଖିଥିଲେ । ଏହି ବିଲ୍ ପାସ୍ ହେବା ଫଳରେ ଦେଶରେ ପୁଅ ଓ ଝିଅଙ୍କର ବିବାହ ବୟସ ୧୫ ଏବଂ ୯ ବର୍ଷ ହୋଇଛି । ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।