କଟକ: କଟକ କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍, କଟକ ବାର ଆସୋସିଏସନ୍, ଏମ୍.ଭି.ଲୟର୍ ଆସୋସିଏସନ୍ ଏବଂ ବୋର୍ଡ ଅଫ୍ ରେଭିନ୍ୟୁ ବାର ଆସୋସିଏସନ୍ ସଦସ୍ୟଙ୍କ କଲ୍ୟାଣ ପାଣ୍ଠିରୁ ଆର୍ôଥକ ହେରଫେର ମାମଲାରେ ପୁଲିସ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଆକାଉଣ୍ଟାଣ୍ଟ ସ୍ୱର୍ଣ୍ଣପ୍ରଭା ବେହେରା(୨୭)। ଲାଲବାଗ ଥାନା ପୁଲିସ ମାମଲାର ତଦନ୍ତ ଜାରି ରଖିଛିି। ୨୦୧୬ ମସିହାରେ କଟକର ଚାରୋଟି ୪ଟି ପ୍ରମୁଖ ବାର୍ ଆସୋସିଏସନ୍ ଯଥା କଟକ ବାର୍, କ୍ରିମିନାଲ କୋର୍ଟ ବାର୍, ଏମ୍. ଭି. ଲୟର୍ସ ଆସୋସିଏସନ୍ ଏବଂ ବୋର୍ଡ ଅଫ୍ ରେଭେନ୍ୟୁ ବାର୍ ମିଳିତ ଭାବେ ସେମାନଙ୍କ ସଦସ୍ୟଙ୍କ ପାଇଁ କଲ୍ୟାଣପାଣ୍ଠି ଯୋଜନା କରିଥିଲେ। ଅସୁସ୍ଥ ଆଇନଜୀବୀଙ୍କୁ ଚିକିତ୍ସା ସହାୟତା ଏବଂ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିବା ଯୋଜନାର ଉଦ୍ଦେଶ୍ୟ ଥିଲା।
ସଦସ୍ୟତା ଶୁଳ୍କ ଏବଂ ଓକିଲାତିନାମାରେ ବ୍ୟବହୃତ ଲୋଗୋରୁ ସଂଗୃହୀତ ଅର୍ଥ ଏକ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ତେବେ ପାଣ୍ଠିରେ ଆର୍ôଥକ ଅନିୟମିତତା ସନ୍ଦେହ କରି ଗତ ଅଗଷ୍ଟ ୮ ତାରିଖରେ ଏକ ଯୁଗ୍ମ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୧ରୁ ଜୁଲାଇ ୨୦୨୫ ମଧ୍ୟରେ ପ୍ରାୟ ୪୦ ଲକ୍ଷ ୭୩ ହଜାର ଟଙ୍କା ହେରଫେର କରାଯାଇଛି ବୋଲି ଜଣାପଡ଼ିଥିଲା। କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍ର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତିକ୍ରମେ ସମ୍ପାଦକ ସୁନୀଲ କୁମାର ସ୍ୱାଇଁ ଲାଲବାଗ ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ କେସ୍ ନଂ ୩୫/୨୬ ରୁଜୁ କରି ତଦନ୍ତ କରିଥିଲା ବେଳେ ଆଜି ଅଭିଯୁକ୍ତକୁ ଗିରଫ କରିଛି।










