ଢ଼ାକା: ବାଂଲାଦେଶର ଶରିୟତପୁର ଜିଲ୍ଲାରେ ଗତ ନୂଆବର୍ଷର ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ ୩୧ ତାରିଖ ରାତିରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୪ର୍ଥ ହିନ୍ଦୁ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଖୋକନ୍ ଦାସ୍ (୫୦) ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମୁସଲିମ୍ ଗୋଷ୍ଠୀର କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଖୋକନ୍ଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ପରେ ବାନ୍ଧିଦେଇଥିଲେ ଏବଂ ତାଙ୍କ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ଏହି ସମୟରେ କୌଶଳ କ୍ରମେ ଖୋକନ୍ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ନିଆଁରେ କିଛି ମାତ୍ରାରେ ଜଳିଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ତାଙ୍କ ପରିବାର ଲୋକେ। କିନ୍ତୁ ଶନିବାର ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଖୋକନ୍ଙ୍କ ପତ୍ନୀ ଏବେ ତାଙ୍କ ପରିବାର ପାଇଁ ନ୍ୟାୟ ପ୍ରାର୍ଥନା କରିଛନ୍ତି। ଖୋକନ୍ ଦାସ୍ ଜଣେ ମେଡିସିନ୍ ଷ୍ଟୋରର୍ ମାଲିକ ହୋଇଥିବା ବେଳେ ବୁଧବାର ରାତିରେ ଦୋକାନ୍ ବନ୍ଦ କରି ଘରକୁ ଫେରୁଥିବା ସମୟରେ କିଛି ବିକ୍ଷୋଭକାରୀ ଏକଜୁଟ୍ ହୋଇ ତାଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ, ନିସ୍ତୂକ ମାଡ଼ ମାରିଥିଲେ ଏବଂ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ।










