22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବାଂଲାଦେଶ ନିର୍ବାଚନ: ୫୩ ଆସନରେ ବିଏନ୍‌ପିକୁ ସ୍ପଷ୍ଟ ବହୁମତ, ଜମାତ ମେଣ୍ଟକୁ ୩୮ ଆସନ

ବାଂଲାଦେଶ ନିର୍ବାଚନ: ୫୩ ଆସନରେ ବିଏନ୍‌ପିକୁ ସ୍ପଷ୍ଟ ବହୁମତ, ଜମାତ ମେଣ୍ଟକୁ ୩୮ ଆସନ

ଢାକା: କାଁଭାଁ ହିଂସାକାଣ୍ଡ ମଧ୍ୟରେ ବାଂଲାଦେଶରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ପରେ ହିଁ ଏଠାରେ ଭୋଟ୍ ଗଣତି ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖାହେବା ବେଳକୁ ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ତାରିକ୍ ରେହମାନ୍‌ଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)କୁ ପ୍ରାୟ ୫୩ ଆସନରେ ବହୁମତ ମିଳିଥିବା ସ୍ପଷ୍ଟ ହୋଇଛି। ସେହିପରି ଜମାତ୍‌-ଏ-ଇସଲାମି ନେତୃତ୍ୱାଧୀନ ମେଣ୍ଟ ମଧ୍ୟ ୩୮ ଆସନରେ ବିଜୟ ଲାଭ କରିଛି। ବାଂଲାଦେଶରେ ସରକାର ଗଠନ କରିବା ପାଇଁ କୌଣସି ଦଳକୁ ମ୍ୟାଜିକ୍ ନଂ ଅର୍ଥାତ୍ ୧୫୧ ଆସନର ଆବଶ୍ୟକତା ରହିଛି। ବିଏନ୍‌ପି ମୁଖ୍ୟ ତାରିକ୍ ରେହମାନ୍ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଉଭୟ ଆସନରେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି।

ପ୍ରକାଶ, ବାଂଲାଦେଶରେ ମୋଟ ୩୫୦ଟି ଆସନ ରହିଛି। ଏଥିମଧ୍ୟରୁ ୩୦୦ଟି ପ୍ରତ୍ୟକ୍ଷ ନିର୍ବାଚିତ ଆସନ ଏବଂ ୫୦ଟି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ଅନ୍ତର୍ଭୁକ୍ତ। ଏକ ଦଳ ସରକାର ଗଠନ କରିବାକୁ ହେଲେ ୩୦୦ଟି ଆସନରୁ ଅତି କମରେ ୧୫୧ଟି ଆସନ ଜିତିବାକୁ ପଡିବ। ନିର୍ବାଚନ ଫଳାଫଳ ପରେ ୫୦ଟି ମହିଳା ସଂରକ୍ଷିତ ଆସନ ବଣ୍ଟିତ କରାଯାଏ। ସୁତରାଂ ଏହି ଆସନଗୁଡ଼ିକ ସରକାର ଗଠନ ପାଇଁ ପ୍ରଭାବିତ କରେ ନାହିଁ। ତେବେ ବାଂଲାଦେଶ ନିର୍ବାଚନ କମିଶନ ଫେବୃଆରୀ ୧୩ ତାରିଖ ସକାଳେ ଗଣତି ସମାପ୍ତ ହେବା ପରେ ଆନୁଷ୍ଠାନିକ ଭାବରେ ଫଳାଫଳ ଘୋଷଣା କରିବେ। ସୂଚନାଯୋଗ୍ୟ ଶେଖ ହସିନାଙ୍କ ଆସ୍ୱାମୀ ଲିଗ୍‌କୁ ବେଆଇନ ଘୋଷଣା କରାଯାଇ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଛି। ତେଣୁ ଏଥର ବିଏନ୍‌ପି ଏବଂ ଜମାତ୍ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁୁ ମିଳିଛି। ବାଂଲାଦେଶର କେତେକ ସ୍ଥାନରେ ଆଜି ଦିନରେ ହିଂସାକାଣ୍ଡ, ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଦେଖିବାକୁ ମିଳିଥିଲେ ମଧ୍ୟ ମତଦାନ ପ୍ରକ୍ରିୟାକୁ ଏସବୁ ପ୍ରଭାବିତ କରିପାରିନାହିଁ। ବାଂଲାଦେଶ ନିର୍ବାଚନ ଆୟୋଗଙ୍କ ଅନୁସାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜନସାଧାରଣ ଶାନ୍ତି ଶୃଙ୍ଖଳାର ସହ ଭୋଟଦାନ କେନ୍ଦ୍ରରେ ନିଜ ମତଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking