ଢାକା: ବାଂଲାଦେଶରେ ପୁଣିଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବାଂଲାଦେଶ ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ଦେଇଥିବା ବୟାନରୁ ଏପରି କିଛି ଆଭାସ ମିଳିଛି। ଜମାନ୍ କହିଛନ୍ତି ଯେ, ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦକୁ ସେ ଦେଖିପାରୁଛନ୍ତି। ତାଙ୍କର ଅନ୍ୟ କୌଣସି ଆକାଂକ୍ଷା ନାହିଁ, କିନ୍ତୁ ସେ ଦେଶକୁ ସୁରକ୍ଷିତ ହାତରେ ଦେଖିବାକୁ ଚାହୁଁଛନ୍ତି। ଜମାନ୍ଙ୍କ କହିବାନୁସାରେ ସେ ଗତ ୭-୮ ମାସ ମଧ୍ୟରେ ବହୁତ କିଛି ସହିବାକୁ ବାଧ୍ୟ ହୋଇଛନ୍ତି। ସେ ପ୍ରଥମେ ପରାମର୍ଶ ଦେଲେ କିନ୍ତୁ ଏହାକୁ ଅଣଦେଖା କରାଗଲା, ଚେତାବନୀ ଦେଲେ ଶୁଣିବାକୁ ମଧ୍ୟ ଆଗ୍ରହ ଦେଖାଇଲେ ନାହିଁ। ଏହାର ଅର୍ଥ ଆଗାମୀ ଦିନରେ ଯାହା କିଛି ଘଟିବ ସେତେବେଳେ ତାଙ୍କୁ ଆଉ କେହି ଦୋଷ ଦେଇପାରିବେ ନାହିଁ। ଜମାନ୍ଙ୍କ ଏପ୍ରକାର ମନ୍ତବ୍ୟ ସିଧାସଳଖ ଏବେର ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ପ୍ରତି ବୋଲି ସ୍ପଷ୍ଟ ହୋଇଛି। ଏହି ପରିପ୍ରେକ୍ଷୀରେ ସେ ଖୁବଶୀଘ୍ର ଦେଶରେ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ବାଂଲାଦେଶ ସେନାମୁଖ୍ୟଙ୍କ ବୟାନରୁ ଏହି ଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାର ସଂକେତ ମିଳୁଛି। ସେ ଦେଶରେ ଗୃହଯୁଦ୍ଧ ଆଶଙ୍କା କରୁଛନ୍ତି। ବାଂଲାଦେଶକୁ ବାହ୍ୟ ଶକ୍ତିମାନେ ପରିଚାଳିତ କରୁଥିବା ସେ ଆଶଙ୍କା କରିଛନ୍ତି। ଯଥାଶୀଘ୍ର ନିର୍ବାଚନ ନହେଲେ ଦେଶରେ ସାମରିକ ଶାସନର ବିକଳ୍ପ ସମ୍ପର୍କରେ ଜମାନ୍ ଇଙ୍ଗିତ କରୁଛନ୍ତି।
ଗତ ଅଗଷ୍ଟମାସରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେ ବାଂଲାଦେଶ ଛାଡି ସପରିବାର ଭାରତ ଚାଲିଆସିଥିଲେ। ଏହାପରେ ତାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ଶେଖ୍ ହସିନାଙ୍କ ଭାରତ ଗସ୍ତ ପରେ ମହମ୍ମଦ ୟୁନୁସ୍ ବାଂଲାଦେଶରେ କ୍ଷମତାକୁ ଆସିଥିଲେ। ଏସବୁ ମଧ୍ୟରେ ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ ଜିଲ୍ଲା ଓକିଲ ସଂଘ ର୍ନିବାଚନରେ ବିଜୟୀ ହୋଇଛି। ଏହା ବାଂଲାଦେଶରେ ଶେଖ୍ ହସିନାଙ୍କ ବଡ଼ ବିଜୟ ବୋଲି ଅଭିହିତ କରାଯାଉଛି। ଗତକାଲି ଚାପାଇନବାବଗଞ୍ଜ ଜିଲା ଓକିଲ ସଂଘ ବାଂଲାଦେଶର କାର୍ଯ୍ୟର୍ନିବାହୀ କମିଟିର ର୍ନିବାଚନ ଅନୁଷ୍ଠିତ ହୋଇଥିଲା। ର୍ନିବାଚନରେ, ଆୱାମୀ ଲିଗ ସମର୍ଥକମାନେ ବିଏନ୍ପି-ଜମାତ ପ୍ୟାନେଲ ଅପେକ୍ଷା ଅଧିକ ଆସନ ହାସଲ କରି ର୍ନିବାଚନରେ ବିଜୟୀ ହୋଇଛନ୍ତି। କୁହାଯାଉଛି ଯେ ଏହି ର୍ନିବାଚନ ଫଳାଫଳର ପ୍ରଭାବ ଆଗାମୀ ସମୟରେ ଦେଖିବାକୁ ମିଳିବ। ର୍ନିବାଚନ ମାଧ୍ୟମରେ, ଓକିଲମାନେ ୟୁନୁସ ସରକାରଙ୍କ ବିରୋଧରେ ସେମାନଙ୍କର କ୍ରୋଧ ପ୍ରକାଶ କରିଛନ୍ତି।










