34.1 C
Bhubaneswar
Tuesday, March 24, 2026
Homeଓଡିଶାବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୧ରେ କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି...

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୧ରେ କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି ଅଫିସ୍‌ରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ତାଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ଆସନ୍ତା ଜୁଲାଇ ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ହେବ ବୋଲି ଆଜି ଦଳ ତରଫରୁ ସୂଚନା ଦିଆଯାଇଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆରଡିସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ସେ କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ପ୍ରତିବାଦ କାର୍ଯ୍ୟକ୍ରମ କରିଆସୁଛି । ୧୪ ତାରିଖ ବିଳମ୍ୱିତ ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା ବେଳେ ତା ପରଦିନ ସକାଳୁ ଅର୍ଥାତ ଜୁଲାଇ ୧୫ ତାରିଖ ଦିନ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

୧୬ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଏହାର ତଦନ୍ତ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରିଛି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ବିଜୁ ଜନତା ଦଳ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking