24.1 C
Bhubaneswar
Friday, March 20, 2026
Homeଓଡିଶାଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ଵିକାଶ ମୂଳକ କାମର ଜ୍ୱଳନ୍ତ...

ଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ଵିକାଶ ମୂଳକ କାମର ଜ୍ୱଳନ୍ତ ଉଦାହରଣ: ବିଜେଡି

 ୨୦୧୮ ଏହାର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା
 ୨୦୧୯ରେ ନବୀନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ
 ନବୀନଙ୍କ ସମୟରେ କ୍ରୀଡା ଭିତିଭୂମି ଵିକାଶ କ୍ଷେତ୍ରରେ ଏହି ସେଣ୍ଟର ଆଉ ଏକ ମାଇଲଖୁଣ୍ଟ
ଭୁବନେଶ୍ୱର, : କଳିଙ୍ଗ ଷ୍ଟାଡିଅମ ପରିସରରେ ଆଜି ବ୍ୟାଡ଼ମିଣ୍ଟନର ଏକ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଯାଇଛି। ବିଜୁ ଜନତା ଦଳ ତରଫରୁ ଦଳର ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଓଡ଼ିଶାର କ୍ରୀଡା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆ ଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଦେଶର କ୍ରୀଡା ହବ ଭାବେ ପରିଚୟ ସୃଷ୍ଟି କରି ପାରିଛି। ନବୀନଙ୍କ ଶାସନ କାଳରେ କ୍ରୀଡା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ଅନେକ ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟରୁ ଆଜି ଉଦଘାଟିତ ହୋଇଥିବା ହାଇ ପରଫର୍ମାନ୍ସ ସେଣ୍ଟର ଅନ୍ୟତମ।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ, ଫେବୃଆରୀ ୨୦୧୯ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ, ତିନି ଏକର ଜମି ଯୋଗାଇ ଦେଇଥିଲେ। ଏହି ସେଣ୍ଟର ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିବା ବେଳେ, ବ୍ୟାଡ଼ମିଣ୍ଟନର ଜାତୀୟ କୋଚ ତଥା କିମ୍ବଦନ୍ତୀ ବ୍ୟାଡ଼ମିଣ୍ଟନ ବ୍ୟକ୍ତିତ୍ୱ ଶ୍ରୀ ପୁଲେଲା ଗୋପୀଚାନ୍ଦ ଏହି ସେଣ୍ଟରର ପରିଚାଳନା ଓ କୋଚିଂ ପ୍ରଦାନ କରିବେ ବୋଲି ଚୁକ୍ତିରେ ସ୍ଥିର କରାଯାଇଥିଲା। ଏଥିରେ, ଆଠଟି ବ୍ୟାଡ଼ମିଣ୍ଟନ କୋର୍ଟ ରହିଥିବା ବେଳେ ୫୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି।
ଡ଼ଃ ମହାନ୍ତି କହିଥିଲେ, ଓଡ଼ିଶାରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ହେଉ ବା ଆନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା କ୍ଷେତ୍ରରେ ହେଉ, ନବୀନ ସରକାରଙ୍କ କାର‌୍ୟ୍ୟ ସଦା ସ୍ମରଣୀୟ ହୋଇ ରହିବ। ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଓଡ଼ିଶାରେ କୌଣସି ଵିକାଶ ହୋଇନାହିଁ ବୋଲି ଚିତ୍କାର କରି ଆସୁଥିବା ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ ଆଜି ନିଶ୍ଚିତ ଭାବେ ନବୀନଙ୍କ ଵିକାଶମୂଳକ କାର‌୍ୟ୍ୟର ଝଲକ ପାଇଥିବେ। ଜଣେ ପ୍ରତୀପକ୍ଷ ଦଳର ବ୍ୟକ୍ତି ଭାବେ ଏ କଥାକୁ ଖୋଲାଖୋଲି ଭାବେ ସ୍ୱୀକାର କରି ପାରୁ ନଥିଲେ ମଧ୍ୟ ନିଜ ମନ ଭିତରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିବେ ବୋଲି ଡ଼ଃ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking