ଲୋକ ସେବା ଜାରି ରଖିବାକୁ ନବୀନଙ୍କ ପରାମର୍ଶ
କିଛି ଗୋଡ଼ାଣିଆ ଅମଲା ଅଧିକାରୀ ଜନପ୍ରତିନିଧିଙ୍କ ଉପରେ ବିଜେପିରେ ଯୋଗଦେବା ପାଇଁ ଚାପ ପ୍ରୟୋଗ କରୁଛନ୍ତି
ବିଜେପିର ଚାପ ଆଗରେ ମୁଣ୍ଡ ନ ନୂଆଇଁବାକୁ ସଂକଳ୍ପ
ଭୁବନେଶ୍ୱର, : ବଡ଼ମ୍ୱା ନରସିଂହପୁର ନିର୍ବାଚନ ମଣ୍ଡଳୀର ୯୦ରୁ ଊର୍ଦ୍ଧ୍ୱ ନିର୍ବାଚିତ ଜନପ୍ରତିନିଧି ବୃନ୍ଦ ଭୁବନେଶ୍ୱର ଠାରେ ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ଭେଟି ବଡ଼ମ୍ୱା ନରସିଂହପୁର ନିର୍ବାଚନ ମଣ୍ଡଳୀର ବିକାଶଧାରା ଓ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଦଳର ସଭାପତି ଜନ ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରି ଲୋକଙ୍କ ପାଇଁ କରୁଥିବା ସେବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ମଡ଼େଲ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଆପଣାଇଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ବିଜେଡି ସରକାରର ଲକ୍ଷ୍ୟ ନଥିଲା । ବିକାଶ ଓ କଲ୍ୟାଣ ହେଉଛି ଆମର ଫୋକସ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡିଶାବାସୀଙ୍କୁ କେହି ବଞ୍ଚିତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ପୂର୍ବରୁ ଜନପ୍ରତିନିଧିମାନେ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷ୍ୟତାରେ ସଭ୍ୟ ସଂଗ୍ରହ ଅଭିଯାନ ବୈଠକରେ ଭାଗ ନେଇଥିଲେ । ଏହି ପ୍ରତିନିଧି ଦଳରେ କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ନରସିଂହପୁର ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ନରସିଂହପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ବଡ଼ମ୍ୱା ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବୀନ୍ଦ୍ର ସାହୁ, ବିଜୁ ଜନତା ଦଳର ସମ୍ପାଦକ ସଦାନନ୍ଦ ସ୍ୱାଇଁ ତଥା ଜିଲ୍ଲା ପରିଷଦ ସଭ୍ୟ ଅଜୟ ପଣ୍ଡା, ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ, ଗୀତାଞ୍ଜଳୀ ପାତ୍ର, ଜୟଶ୍ରୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
ନବୀନ ସରକାର ସମୟରେ ଅନେକ ଉନ୍ନତିମୂଳକ ପ୍ରକଳ୍ପ ମଞ୍ଜୁର ହୋଇ ତା’ର କାମ ଚାଲିଥିଲା ବେଳେ ନୂଆ ବିଜେପି ସରକାର ଏ ସମସ୍ତ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଛନ୍ତି । ଏହାଛଡା ଲୋକ ପ୍ରତିନିଧି ମାନଙ୍କ ଉପରେ ଅନେକ ଗୋଡାଣିଆ ଅମଲାତନ୍ତ୍ର ଦ୍ୱାରା ଚାପ ସୃଷ୍ଟି କରି ବିକାଶକୁ ଠପ୍ କରିଛନ୍ତି ଓ ବିଜେପିରେ ତାଙ୍କୁ ଯୋଗଦେବା ପାଇଁ ଚାପ ସୃଷ୍ଟି କରାଯାଉଛି । ଦୁଇ ବର୍ଷ ତଳେ ଗଣତାନ୍ତ୍ରିକ ଧାରାରେ ନିର୍ବାଚିତ ହୋଇ ଆସିଥିବା କିଛି ଜନପ୍ରତିନିଧି ଏଥିରେ ପ୍ରଭାବିତ ହୋଇଛନ୍ତି। ଏହା ସାମୟିକ । ଜନସାଧାରଣ ଓ ଗ୍ରାମବାସୀ ମାନେ ଏଥିରେ ଅସୁଖୀ ଅଛନ୍ତି ଓ ଏହି ଘଟଣାକୁ ନିନ୍ଦା କରୁଛନ୍ତି ।
ଏ ପ୍ରକାର ଅଭିସନ୍ଧିକୁ ପରାହତ କରି ଏକ ରହି ବଡ଼ମ୍ୱା ନରସିଂହପୁରର ବିକାଶଧାରାକୁ ବଜାୟ ରଖିବା ପାଇଁ ଓ ଅବିଚାର ଅଭିସନ୍ଧିର ମୁକାବିଲା କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ବଡ଼ମ୍ୱା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ନବୀନ ବାବୁଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତିନିଧି ମଣ୍ଡଳୀ ନବୀନ ବାବୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜନପ୍ରତିନିଧିଙ୍କ ପକ୍ଷରୁ ଶ୍ରୀ ନିର୍ମଳ ଜେନା, ଅଶୋକ ଜଗଦ୍ଦେବ, ରାଜକିଶୋର ରାଉତ ଓ ଯଜାତି ନାୟକ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ପରେ ଜନ ପ୍ରତିନିଧି ମାନେ ଶଙ୍ଖ ଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଓ ଏହାର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିବା ସହିତ ବିଜୁ ଜନତା ଦଳର ଦ୍ୱାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟକୁ ଏବେ ମଧ୍ୟ ଜନସାଧାରଣଙ୍କ ଆଦୃତ ହେଉଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀରେ, ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ନରସିଂହପୁର ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ବଡ଼ମ୍ୱା ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ନରସିଂହପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର ସାହୁ, ଅଜୟ ପଣ୍ଡା, ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ, ଗୀତାଞ୍ଜଳି ପାତ୍ର ଓ ଜୟଶ୍ରୀ ବରାଳ ଇତ୍ୟାଦି ନିଜର ବକ୍ତବ୍ୟ ରଖିଥିଲେ। ବିଜେଡି ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ସାମ୍ୱାଦିକ ସମ୍ମିଳନୀକୁ ସଂଯୋଜନା କରିବା ସହିତ ନିଜର ମତ ରଖିଥିଲେ।










