ତିହିଡି଼: ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତିଙ୍କ କୋଠାଘର ଛାତ ଉପରେ ନିର୍ମିତ ଅଧାକାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଓ ବଡ଼ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି lଘଟଣାରୁ ପ୍ରକାଶ ଯେ ତିହିଡି଼ ଥାନା ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ ଭାରତୀ ବାପଘର କାଶୀପୁର ଗ୍ରାମକୁ ଯାଇଥିଲେ l ଭାରତୀଙ୍କ ଦୁଇ ଝିଅ ପୂଜାରାଣୀ ଓ ଲିଜା ମାମୁଘର ସାମ୍ନାରେ ଖେଳୁଥିଲେ l ତାଙ୍କ ମା ଭାରତୀ ସେଠାରେ ଠିଆ ହୋଇଥିଲେ l ଏହି ସମୟରେ ନାରାୟଣଙ୍କ ଘରର ଛାତ ଉପରେ ନିର୍ମିତ କାନ୍ଥ ଓ ଘରର କାନିସ ଭାଙ୍ଗି ତଳକୁ ଖସି ମା ଓ ୨ଝିଅଙ୍କ ଉପରେ ପଡ଼ିଥିଲା l ଯାହାଫଳରେ ସାନ ଝିଅ ଲିଜାର ମୃତ୍ୟୁ ଘଟିଥିବା ବେଳେ ଭାରତୀ ଓ ତାଙ୍କ ବଡ଼ ଝିଅ ପୂଜା ଗୁରୁତର ଆହତ ହୋଇଥିଲେ l ଗୁରୁତର ମା ଓ ଝିଅଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ତିହିଡି଼ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ଯାଇଛି l










