23.1 C
Bhubaneswar
Tuesday, February 17, 2026
Homeଖେଳଭାରତଠାରୁ ହାରିବା ପରେ ବାଦ୍ ପଡ଼ିପାରନ୍ତି ବାବର-ଶାହିନ୍‌

ଭାରତଠାରୁ ହାରିବା ପରେ ବାଦ୍ ପଡ଼ିପାରନ୍ତି ବାବର-ଶାହିନ୍‌

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍ ପର୍ଯ୍ୟାୟରେ ଭାରତଠାରୁ ୬୧ ରନ୍‌ରେ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନର ସିନିୟର୍ ଖେଳାଳି ବାବର ଆଜମ୍ ଓ ଶାହିନ୍ ଆଫ୍ରିଦି ଟିମ୍‌ରୁ ବାହାର ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ ଟିମ୍‌ର ପ୍ରଦର୍ଶନରେ ଅସନ୍ତୁଷ୍ଟ ହୋଇଛନ୍ତି। ସେ ନିଜ ଅସନ୍ତୋଷ ବାର୍ତ୍ତା ଟିମ୍ ମ୍ୟାନେଜର ନଭେଦ୍ ଆକରମ୍ ଚିମାକୁ ପହଞ୍ଚାଇଛନ୍ତି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍ ଅବସରରେ ପିସିବି ମୁଖ୍ୟ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ। ଭାରତ ବିପକ୍ଷରେ ଖେଳାଯାଇଥିବା ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବାବର ଏବଂ ଶାହିନ୍ ଉଭୟ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଶାହିନ୍ ୨ ଓଭର୍‌ରେ ୩୧ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ବାବର କେବଳ ୫ ରନ୍ ହିଁ କରିଥିଲେ।

ଟି-୨୦ ବିଶ୍ୱକପ୍‌ରେ ବର୍ତ୍ତମାନ ସୁଦ୍ଧା ବାବର ଆଜମ୍‌ଙ୍କ ପ୍ରଦର୍ଶନ ଫିକା ରହିଛି। ସେ ଟୁର୍ଣ୍ଣାମେଣ୍ଟ୍‌ରେ ମାତ୍ର ୬୬ ରନ୍ କରିଛନ୍ତି। ଏହି ଅବସରରେ ଆମେରିକା ବିପକ୍ଷ ୪୬ ରନ୍ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ ରହିଛି। ଏହା ସତ୍ତ୍ୱେ ଟୁର୍ଣ୍ଣାମେଣ୍ଟ୍‌ରେ ସେ ପାକିସ୍ତାନର ଦ୍ୱିତୀୟ ସର୍ବାଧିକ ସ୍କୋରର୍‌। ତାଙ୍କ ଆଗରେ କେବଳ ସାହିବଜାଦା ଫରହାନ୍ ଅଛନ୍ତି। ଫରହାନ୍‌ଙ୍କ ନାମରେ ୧୨୦ ରନ୍ ରହିଛି। ଅନ୍ୟପକ୍ଷରେ ଶାହିନ୍ ଆଫ୍ରିଦିଙ୍କ ବୋଲିଂ ଏହି ବିଶ୍ୱକପ୍‌ରେ ପ୍ରଭାବଶାଳୀ ହୋଇପାରି ନାହିଁ। ସେ ବର୍ତ୍ତମାନ ସୁଦ୍ଧା ତିନିଟି ମ୍ୟାଚ୍‌ରେ ୩ଟି ୱିକେଟ୍ ହିଁ ଅକ୍ତିଆର କରିଛନ୍ତି। ଭାରତଠାରୁ ହାରିବା ପରେ ପୂର୍ବତନ କ୍ୟାପ୍‌ଟେନ୍ ଶାହିଦ୍ ଆଫ୍ରିଦି ସିନିୟର୍ ଖେଳାଳିଙ୍କୁ ବାହାର କରିବାକୁ ଖୋଲାଖୋଲି ଦାବି କରିଛନ୍ତି। ସେ କହିଛନ୍ତି, ଏହି ଖେଳାଳିମାନେ ଦୀର୍ଘ ସମୟ ଧରି ଖେଳୁଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ନାମ୍ବିୟା ବିପକ୍ଷରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ, ଯାହା ଫଳରେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହେବ। ଉଲ୍ଲେଖଯୋଗ୍ୟ, ଶାହିନ୍ ଆଫ୍ରିଦି ପୂର୍ବତନ କ୍ୟାପ୍‌ଟେନ୍‌ଙ୍କ ଜ୍ୱାଇଁ। ପୂର୍ବତନ ପାକିସ୍ତାନୀ ଫାଷ୍ଟ୍ ବୋଲର୍ ସୋଏବ୍ ଅଖ୍‌ତର ମଧ୍ୟ ଟିମ୍‌ର ଖରାପ ପ୍ରଦର୍ଶନ ସହିତ ପିସିବିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଖ୍‌ତର ବିଶେଷ ଭାବେ ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଯାହାକୁ କାମ କରିଆସେ ନାହିଁ, ତାଙ୍କୁ କାହିଁକି ଚୌକିରେ ବସାଯାଇଛି। ପୂର୍ବତନ ପାକ୍ ବ୍ୟାଟର୍ ମହମ୍ମଦ ୟୁସୁଫ୍ କହିଛନ୍ତି, ଏବେ ଏହି ଖେଳାଳିମାନଙ୍କ ସମୟ ଶେଷ ହୋଇଛି ଏବଂ ଟି-୨୦ ଟିମ୍‌ରେ ନୂଆ ମୁହଁଙ୍କୁ ଆପଣାଇବାର ସମୟ ଆସିଯାଇଛି। ସେ କହିଛନ୍ତି, ଦୁର୍ବଳ ଟିମ୍ ବିପକ୍ଷରେ ଜିତିଲେ କାମ ଚଳିବ ନାହିଁ। ଶକ୍ତିଶାଳୀ ଟିମ୍ ବିପକ୍ଷରେ ପ୍ରଦର୍ଶନ ଜରୁରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking