15.1 C
Bhubaneswar
Friday, January 16, 2026
Homeଓଡିଶାପ୍ରତ୍ୟେକ ଓଡିଆଙ୍କୁ ମିଳୁ ଆୟୁଷ୍ମାନ ଭାରତ ଯୋଜନା: ବିଜେଡି

ପ୍ରତ୍ୟେକ ଓଡିଆଙ୍କୁ ମିଳୁ ଆୟୁଷ୍ମାନ ଭାରତ ଯୋଜନା: ବିଜେଡି

– ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଲାଗି ବିଏସ୍‌କେୱାଇ ହୋଇଥିଲା ଦେଶର ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ଯୋଜନା
– ଶତଚେଷ୍ଟା କରି ମଧ୍ୟ କେବଳ ବିଏସ୍‌କେୱାଇର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହେଲେ
– ପୁରୁଷଙ୍କୁ ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଦେୟମୁକ୍ତ ଚିକିତ୍ସା ସୁବିଧା ମିଳୁ

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ସାଢେ ୪ କୋଟି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ପାଇଁ ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର। ଡ଼ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ମାସ ଧରି ଚେଷ୍ଟା କରି ମଧ୍ୟ ବିଏସ୍‌କେୱାଇ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ରାଜ୍ୟ ବିଜେପି ସରକାର। ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଥିଲା ବୋଲି ଆଜି ପୁଣି ଥରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। କେବଳ କାର୍ଡ ର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛନ୍ତି କିନ୍ତୁ ବିଏସ୍‌କେୱାଇ ଯୋଜନାରେ କିଛି ବି ଯୋଡି ପାରିନାହାନ୍ତି। ବିଏସ୍‌କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକ୍ରୁତ ହୋଇଥିଲା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ। କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଆୟୁଷ୍ମାନ ଭାରତ ଯୋଜନା ବାବଦରେ ବିଜେପି ଡିଣ୍ଡିମ ପିଟୁଥିଲା ବେଳେ ସିଏଜି ତାଙ୍କ ରିପୋର୍ଟରେ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଥିବା
ଉଲ୍ଲେଖ କରିଛନ୍ତି।

୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ‘ନାଁ’ରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍‌ରେ ଓଡିଶାରେ ଲାଗୁ କରିଥିଲେ। କେବଳ ନାଁ ପରିବର୍ତ୍ତନ କରି ଆଜି ରାଜ୍ୟରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା, ବିଏସ୍‌କେୱାଇର ଅବିକଳ ନକଲ। ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଲାଗି ଲୋକଙ୍କ ପକେଟରୁ ଖର୍ଚ୍ଚ କମାଇବାରେ ବିଏସ୍‌କେୱାଇ ଯୋଜନା ପ୍ରଣୟନ କରି ଓଡିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। ଉତ୍ତରପ୍ରଦେଶ ୧୩ ପ୍ରତିଶତ, ମହାରାଷ୍ଟ୍ର ୨୦ ପ୍ରତିଶତ ଖର୍ଚ୍ଚ କମାଇପାରିଥିଲା ବେଳେ ଓଡିଶା ୩୭ ପ୍ରତିଶତ ଖର୍ଚ୍ଚ କମାଇବାରେ ସକ୍ଷମ ହୋଇଥିଲା। ସମସ୍ତଙ୍କୁ ବିଏସ୍‌କେୱାଇରେ ସାମିଲ କରିବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଜନା କରିଥିଲେ। ରାଜ୍ୟର ବିଜେପି ସରକାର ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ଓଡିଆଙ୍କୁ ଏହି ଯୋଜନାରେ ସାମିଲ କରିବା ସହ ପୁରୁଷଙ୍କୁ ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଲେ ଡବଲ ଇଂଜିନ ସରକାର ପ୍ରକୃତରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଜଣାପଡିବ ବୋଲି ଡ଼ ସାମନ୍ତସିଂହାର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking