14.1 C
Bhubaneswar
Saturday, December 6, 2025
Homeଓଡିଶାଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ନିମନ୍ତେ ଧୂମ୍ରପାନ ଓ ପ୍ରଦୂଷଣ ଠାରୁ ଦୂରେଇ ରୁହନ୍ତୁ : ବିଶେଷଜ୍ଞ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ନିମନ୍ତେ ଧୂମ୍ରପାନ ଓ ପ୍ରଦୂଷଣ ଠାରୁ ଦୂରେଇ ରୁହନ୍ତୁ : ବିଶେଷଜ୍ଞ

ଭୁବନେଶ୍ୱର: ହୃଦରୋଗ ସମସ୍ୟା ଭଳି ଫୁସ୍‌ଫୁସ୍ ଜନିତ ସମସ୍ୟା ମଧ୍ୟ ମଣିଷ ଶରୀର ପାଇଁ ସମ ମାତ୍ରାରେ କ୍ଷତିକାରକ। ତେଣୁ ହୃଦ ସମସ୍ୟାର ଯତ୍ନ ନେବା ସହ ଫୁସ୍‌ଫୁସ୍ ପ୍ରତି ମଧ୍ୟ ସେତିକି ମାତ୍ରାରେ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ରେସ୍ପିରେଟୋରୀ ମେଡିସିନ୍ ବିଭାଗ ଓ ଓଡ଼ିଶା ଚେଷ୍ଟ ସୋସାଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଆଡଭାନ୍ସ ଇନ୍ ଲଙ୍ଗ ଫଙ୍କସନ୍ ଆସେସମେଂଟ’ (ଆଲ୍‌ଫା) ଶୀର୍ଷକ ସିଏମଇ ପରିପ୍ରେକ୍ଷୀରେ ବିଭାଗୀୟ ମୁଖ୍ୟ ତଥା ଓଡ଼ିଶା ଚେଷ୍ଟ ସୋସାଇଟିର ସଭାନେତ୍ରୀ ପ୍ରଫେସର ଡାକ୍ତର ବନାନୀ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଫୁସ୍‌ଫସ୍‌ର ଯତ୍ନ ନେବା ସହ ଏହାକୁ ସୁସ୍ଥ ରଖିବା ନିମନ୍ତେ ଧୂମ୍ରପାନ ଓ ପ୍ରଦୂଷଣ ଠାରୁ ଦୂରେଇ ରହିବା ଆବଶ୍ୟକ। ପ୍ରଫେସର ଜେନା କହିଛନ୍ତି ଆମେ ହୃଦଜନିତ ସମସ୍ୟାର ଯେତିକି ଚିକିତ୍ସା ବା ପରୀକ୍ଷା କରିଥାଉ ସେତିକି ମାତ୍ରାରେ ଫୁସଫୁସର ଯତ୍ନ ନେଇ ନଥାଉ। ତେବେ ଅନେକ ଅତ୍ୟାଧୁନିକ ଫୁସ୍‌ଫୁସ୍ ଜନିତ ପରୀକ୍ଷା ରହିଥିବା ବେଳେ ଏହା ବ୍ୟବହାର କରି ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ନେଇ ସଚେତନତା ବାର୍ତା ଦେବା ଏହି ସିଏମ୍‌ଇର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି।

ଏହି ସିଏମ୍‌ଇରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଓପିଡି ସମସ୍ୟାର ଚିକିତ୍ସା ଓ ସମାଧାନ ନେଇ ସମ୍ ହସ୍ପିଟାଲ୍ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନିଆଯାଉଛି ବୋଲି କହିଥିଲେ। ପିଜି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏଭଳି ସିଏମ୍‌ଇ ଖୁବ୍ ଉପାଦେୟ ଓ ଲାଭଜନକ ହେବ ବୋଲି କୁଳପତି କହିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଫୁସ୍‌ଫୁସ୍ ହିଁ ହୃଦୟକୁ ଅମ୍ଳଜାନ ଯୋଗାଇଥାଏ। ତେଣୁ ଏହାର ଯତ୍ନ ନେବା ସହ ଶାରୀରିକ ସୁସ୍ଥତା ନିମନ୍ତେ ଯୋଗ ଓ ପ୍ରାଣାୟମ ମଧ୍ୟ ସମାନ ମାତ୍ରାରେ ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ପ୍ରଦୂଷଣ ଏବଂ ଧୂମ୍ରପାନ ଫୁସଫୁସ ସମସ୍ୟା ପାଇଁ ‘କ୍ଷତିକାରକ ହୋଇଥିବା ବେଳେ ଏଭଳି ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଧୂଆଁ ଓ ଧୂଳି ଠାରୁ ଯଥା ସମ୍ଭବ ଦୂରେଇ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ।

ଏହି ସିଏମ୍‌ଇରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫିଜିଓଲୋଜି ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ତଥା ଭିପି ଚେଷ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର କାର୍ଡିଓପଲ୍‌ମୋନାରୀ ରିହାବିଲିଟେସନ୍‌ର ଇନ୍‌ଚାର୍ଜ ଡାକ୍ତର ବିଶାଲ ବଂସଲ, ଭୁବନେଶ୍ୱର ଏମ୍ସର ପ୍ରଫେସର (ଡାକ୍ତର) ମନୋଜ ପାଣିଗ୍ରାହୀ, ଏସ୍‌ସିବି ମେଡିକାଲ୍ କଲେଜ କଟକର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ଦାଶ, କିମ୍ସ ହସ୍ପିଟାଲ୍‌ର ଡାକ୍ତର ଦେବାଶିଷ ବେହେରା, ଅଶ୍ୱିନୀ ହସ୍ପିଟାଲ୍ କଟକର ଡାକ୍ତର ସମ୍ପତ ଦାଶ ଏବଂ ବାଗ୍‌ଚୀ କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଡାକ୍ତର ଆରୁଷୀ ଚୋଖାନୀ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇ ଫୁସ୍‌ଫୁସ ଜନିତ ସମସ୍ୟା, ଯତ୍ନ ଏବଂ ଚିକିତ୍ସା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଗତ ନଭେମ୍ବର ୧୯ ତାରିଖ ଦିନ ୱାର୍ଲ୍ଡ ସିଓପିଡି ଦିବସ ଉପଲକ୍ଷେ ଏକ ସଚେତନତା ୱାକାଥନର ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking