24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମାଆ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମାଆ

ନୂଆଦିଲ୍ଲୀ: ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଅତୁଲଙ୍କ ମାଆ ଅଞ୍ଜୁ ମୋଦୀ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ ଅତୁଲଙ୍କ ପୁଅ ତଥା ନିଜ ସାଢ଼େ ୪ ବର୍ଷର ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ (କଷ୍ଟଡି) ପାଇବା ପାଇଁ ସେ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ୍ କରିଛନ୍ତି। ସେ ନିଜ ପିଟିସନରେ ଦର୍ଶାଇଛନ୍ତି ଯେ, ତାଙ୍କ ଅତୁଲ ସୁଭାଷଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କେଉଁ ଠାରେ ଅଛି କାହାକୁ ମଧ୍ୟ ଜଣାନାହିଁ। ଅନ୍ୟପକ୍ଷେ ଅତୁଲ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନିକିତା, ଶାଶୁ ଏବେ ଜେଲ୍‌ରେ ଅଛନ୍ତି। ଏପରି ସ୍ଥିତିରେ ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ଦିଆଯାଉ। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ଉତ୍ତରପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଗିରଫ ହୋଇଥିବା ଅତୁଲଙ୍କ ପତ୍ନୀ ନିକିତା ଜେରା ସମୟରେ ପୁଲିସକୁ କହିଥିଲେ ଯେ ତାଙ୍କ ପୁଅ ଏବେ ହରିଆଣାର ଫରିଦାବାଦସ୍ଥିତ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଛି। ପୁଅର ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ତାଙ୍କ ବଡ଼ବାପା ସୁଶୀଲ ସିଂଘାନିଆଙ୍କୁ ଦେଇଛନ୍ତି। କିନ୍ତୁ ସୁଶୀଲ ସିଂଘାନିଆ ପୁଅ ବିଷୟରେ କିଛି ଜାଣିନଥିବା ପୁଲିସକୁ କହିଥିଲେ। ଅନ୍ୟପକ୍ଷେ ଯେହେତୁ ଏହି ମାମଲା ସହ ଉତ୍ତରପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ତିନୋଟି ରାଜ୍ୟର ସମ୍ପର୍କ ଅଛି, ସେଥିପାଇଁ ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅତୁଲଙ୍କ ମାଆ। ନାତିକୁ ଉଦ୍ଧାର କରି କୋର୍ଟ ଆଗରେ ହାଜର କରିବା ପାଇଁ ସେ ଦାବି କରିଛନ୍ତି। ଏହାସହ ନାତିର ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ବହନ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତିନି ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ ହେବ।

ଏହି ଘଟଣାରେ ବର୍ତ୍ତମାନ ଅତୁଲଙ୍କ ପତ୍ନୀ ନିକିତା, ନିକିତାଙ୍କ ଭାଇ ଓ ମାଆ ପୁଲିସ ହେପାଜତରେ ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅତୁଲ ଓ ନିକିତାଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କାହା ପାଖରେ ଅଛି? ତାର ଦାୟିତ୍ୱ କିଏ ନେଉଛି? ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗିରଫ ହେବା ପୂର୍ବରୁ ନିକିତା ନିଜ ପୁଅକୁ କାହା ପାଖରେ ଛାଡ଼ିଛନ୍ତି ନା କେଉଁଠି ଲୁଚାଇ ରଖିଛନ୍ତି, ତାହା କାହାକୁ ଜଣାନାହିଁ। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ଲେଖିଥିବା ୨୩ ପୃଷ୍ଠାର ନୋଟ ଓ ଜାରି କରିଥିବା ୧ ଘଣ୍ଟା ୨୧ ମିନିଟର ଭିଡିଓରେ ସେ ନିଜ ଶେଷଇଚ୍ଛା ବିଷୟରେ କହିଥିଲେ ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅର ସମସ୍ତ ଦାୟିତ୍ୱ ତାଙ୍କ ମାଆ ବାପାଙ୍କୁ ଦିଆଯାଉ। ସେପଟେ ଅତୁଲଙ୍କ ବାପା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପୁଅର ଶେଷ ଇଚ୍ଛା ଅନୁସାରେ ତାଙ୍କ ନାତିର ଭରଣପୋଷଣ ଦାୟିତ୍ୱ ତାଙ୍କୁ ଦିଆଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking