ଆଠଗଡ଼: ଚାଷ ଜମି ହିଡ଼କୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଶେଷରେ ଉଗ୍ରରୂପ ନେଇ ମାରପିଟ ଓ ହଣାକଟାରେ ପହଞ୍ଚିଥିଲା । ଉଭୟ ପରିବାର ପକ୍ଷରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଚାଷ ଜମି ହିଡକୁ ନେଇ ଗ୍ରାମର ଦୁଇ ପରିବାର ସେନାପତି ପରିବାର ଓ ଗୋଛି ପରିବାର ମଧ୍ୟରେ ବଚସା ହୋଇଥିଲା । ତେବେ ଶନିବାର ଏହା ଉଗ୍ରରୂପ ଧାରଣ କରି ପ୍ରଥମେ ମାରପିଟ ଓ ପରେ ହଣାକଟା ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଉଭୟ ପରିବାରର ୬ ଜଣ ପୁରୁଷ ଓ ମହିଳା ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଏହି ଝଗଡ଼ା ରୋକିବାକୁ ଯାଇ ଗ୍ରାମର ଜଣେ ଯୁବକ ମଧ୍ୟ ଆହତ ହେଇଛନ୍ତି । ଖବର ପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।