ଯାଜପୁର: ବିଞ୍ଝାପୁରରେ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁନ୍ଦା ଛକ ନିକଟରେ ଥିବା ଏକ ଏଚଡିଏଫସି ଏଟିଏମ୍ ଭାଙ୍ଗି ଅଜ୍ଞାତ ଦୁର୍ବୃତ୍ତମାନେ ସମ୍ପୂର୍ଣ୍ଣ ଏଟିଏମ୍ ମେସିନ୍ ଚୋରି କରି ନେଇଛନ୍ତି। ଡକାୟତି ସମୟରେ ଏଟିଏମ୍ ସହିତ ନିକଟରେ ଥିବା ଏକ ଅଟୋ-ରିକ୍ସା ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଅପରାଧ ଘଟାଇଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ମେସିନ୍ ନେଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ପାଖରେ ଥିବା ଅଟୋ-ରିକ୍ସାକୁ ମଧ୍ୟ ଅପରାଧୀମାନେ ନେଇଯାଇଛନ୍ତି। ଖବର ପାଇ ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଲୁଟ୍ ହୋଇଥିବା ସ୍ଥାନର ୪୦୦ ମିଟର ଦୂରରୁ ଏଟିଏମ୍ ଓ ଅଟୋ ଜବତ ହୋଇଛି । ଏଟିଏମରୁ ୫ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ସନ୍ଦିଗ୍ଧ ଲୋକଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ଜିନିଷଗୁଡ଼ିକ ଉଦ୍ଧାର କରିବା ପାଇଁ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରିଛି। ଘଟଣା ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ଆସିବା ସୂଚନା ଦେବାକୁ ପୋଲିସ ଅନୁରୋଧ କରିଛି।










