ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଆଜି ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ । ଆଉ ସରକାର ପରିଚାଳନାରେ ନବାଗତ ବିଜେପିକୁ ଏହାର ଫାଇଦା ମିଳିଥିବା ଦେଖିବାକୁ ମିଳିଛି ।
ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନିୟମିତ ଅନୁପସ୍ଥିତି ହିଁ ବିରୋଧୀ ଦଳର ଦିଶା ନିର୍ଦ୍ଧାରଣରେ ପ୍ରତିବନ୍ଧକ ସାଜିଥିଲା । ଆଉ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ତାଳମେଳ ନଥିବା ଯୋଗୁ ଶାସକ ବିଜେପିକୁ ଏହାର ଫାଇଦା ମିଳିଛି । ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ମୋଟ ୨୫ଦିନ ବୈଠକ ବସିଛି ।