ନୂଆଦିଲ୍ଲୀ : କଜାଖସ୍ତାନରେ ଚାଲିଥିବା ଏସୀୟ ଟେବଲ୍ ଟେନିସ୍ ଚାମ୍ପିଅନ୍ଶିପ୍ ୨୦୨୪ କ୍ୱାର୍ଟର୍ ଫାଇନାଲ୍ରେ ଭାରତ ୩-୨ରେ ଦକ୍ଷିଣ କୋରିଆକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛି । ଏହା ସହିତ ଭାରତ ଚାମ୍ପିଅନ୍ଶିପ୍ ଇତିହାସରେ ପ୍ରଥମ ଥର ପଦକ ପକ୍କା କରିଛି । ଏକ ସମୟରେ ଭାରତ ୨-୦ରେ ଆଗୁଆ ଥିବାବେଳେ ଦକ୍ଷିଣ କୋରିଆ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍କୁ ରୋମାଞ୍ଚକର କରିଥିଲା । ଆୟିକା ମୁଖାର୍ଜୀ ଓ ମନିକା ବତ୍ରା ନିଜ ନିଜର ଗେମ୍ ଜିତି ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ । ଆୟିକା ୧୧-୯, ୭-୧୧, ୧୨-୧୦, ୭-୧୧, ୧୧-୭ରେ ଶିନ୍ ୟୁବିଙ୍କୁ ଏବଂ ମନିକା ୧୨-୧୧, ୧୩-୧୧, ୧୧-୫, ୫-୧୧, ୧୨-୧୦ରେ ଜିଓନ୍ ଜିହିଙ୍କୁ ମାତ୍ ଦେଇଥିଲେ । ମାତ୍ର ଏହାପରେ ଶ୍ରୀଜା ଅକୁଲା ୦-୩ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ସେହିପରି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଶିନ୍ ୟୁବି ୩-୨ରେ ମନିକାଙ୍କୁ ହରାଇ ଦେଇଥିଲେ । ୨-୨ରେ ମ୍ୟାଚ୍ ସମାନ ସ୍ଥିତିରେ ଥିବାବେଳେ ଅନ୍ତିମ ଗେମ୍ରେ ଆୟିକା ମୁଖାର୍ଜୀ ୩-୨ରେ ଜିଓନ୍ଙ୍କୁ ହରାଇ ମ୍ୟାଚ୍ ଭାରତକୁ ବିଜୟୀ କରାଇଥିଲେ । ଚାମ୍ପିଅନ୍ଶିପ୍ ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ଭାରତର ଅତିକମ୍ରେ ଗୋଟିଏ ବ୍ରୋଞ୍ଜ୍ ପଦକ ପକ୍କା ହୋଇଛି । ଭାରତ ବୁଧବାରର ସେମିଫାଇନାଲ୍ ମ୍ୟାଚ୍ରେ ସିଙ୍ଗାପୁର କିମ୍ବା ଜାପାନକୁ ଭେଟିପାରେ । ଗତଥର ଭାରତୀୟ ମହିଳା ଟିମ୍ ପଞ୍ଚମ ସ୍ଥାନରେ ରହିଥିଲା । ଉଲ୍ଲେଖଯୋଗ୍ୟ, ଭାରତୀୟ ପୁରୁଷ ଟିମ୍ ମଧ୍ୟ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି ।










