36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଶେଖ୍ ହସିନାଙ୍କ ବିରୋଧରେ ପୁଣି ଜାରିହେଲା ଗିରଫ ପରୱାନା

ଶେଖ୍ ହସିନାଙ୍କ ବିରୋଧରେ ପୁଣି ଜାରିହେଲା ଗିରଫ ପରୱାନା

ଢ଼ାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୭୭ ବର୍ଷୀୟା ଶେଖ୍ ହସିନାଙ୍କ ବିରୋଧରେ ଢାକା ସ୍ଥିତ ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ୍ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି କରିଛନ୍ତି। ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ବଳପୂର୍ବକ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଜ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅପହରଣ କରାଇବା ଏବଂ ସେମାନଙ୍କୁ ଗୁପ୍ତ ଠିକଣାରେ ରଖାଯିବା ଏବଂ ପରେ ସେମାନଙ୍କୁ ହତ୍ୟା କରିଥିବା ଭଳି ସଂଗୀନ୍ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଟ୍ରିବ୍ୟୁନାଲ ତାଙ୍କ ନାଁରେ ପୂର୍ବରୁ ଥରେ ଗିରଫ ପରୱାନା ଜାରି କରିସାରିଥିବା ବେଳେ ଏବେ ଆଉଥରେ ଗିରଫ ପରୱାନା ଜାରି କରିଛନ୍ତି। ତେବେ ସଦ୍ୟ ଜାରି ପରୱାନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୧୨ ସୁଦ୍ଧା ଶେଖ୍ ହସିନା ଓ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରି ଟ୍ରିବ୍ୟୁନାଲ ସମ୍ମୁଖରେ ହାଜର କରାଇବାକୁ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶୀ ଖବରକାଗଜ ‘ଦ ଡେଲି ଷ୍ଟାର’ରେ ଏନେଇ ସୂଚନା ଦିଆଯାଇଛି।

ଶେଖ୍ ହସିନାଙ୍କ ସହ ଅନ୍ୟ ଯେଉଁମାନଙ୍କୁ ଗିରଫ ପୂର୍ବକ ହାଜର କରାଇବାକୁ କୁହାଯାଇଛି ସେମାନଙ୍କ ମଧ୍ୟରେ ଶେଖ୍ ହସିନାଙ୍କ ପୂର୍ବତନ ପ୍ରତିରକ୍ଷା ପରାମର୍ଶଦାତା ତାରିକ୍ ଅହମ୍ମଦ ସିଦ୍ଦିକ ଏବଂ ପୂର୍ବତନ ଆଇଜି ବେନଜିର ଅହମ୍ମଦଙ୍କ ସମେତ ମୋଟ ୧୧ ଜଣ ସାମିଲ ଅଛନ୍ତି। ଏସମସ୍ତଙ୍କ ବିରୋଧରେ ନିଖୋଜ ଏବଂ ହତ୍ୟା ଅଭିଯୋଗରେ ଗିରଫ ପରୱାନା ଜାରି କରାଯାଇଛି। ଜଷ୍ଟିସ ମହମ୍ମଦ ଗୋଲମ ମାର୍ତୁଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ୧୧ ଜଣଙ୍କୁ ଗିରଫ ତଥା ଟ୍ରିବ୍ୟୁନାଲ୍ ସମ୍ମୁଖରେ ଧାର୍ଯ୍ୟ ତାରିଖ ସୁଦ୍ଧା ହାଜର କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା।

ଏହି ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡ଼ି ଭାରତ ଚାଲିଆସିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷେ ତାଙ୍କର ଏପ୍ରକାର ପଳାୟନ ପରେ ଦେଶରେ ସଂଘଠିତ ହିଂସାକାଣ୍ଡରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପୂର୍ବରୁ ମଧ୍ୟ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧଜନିତ ମାମଲା ରହିଥିଲା। ଏସବୁ ପ୍ରସଙ୍ଗରେ ଗତବର୍ଷ ଟ୍ରିବ୍ୟୁନାଲ ଶେଖ ହସିନା ଏବଂ ଅନ୍ୟ ୪୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଛାତ୍ର ଆନ୍ଦୋଳନ ସମୟରେ ହିଁ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ତାଙ୍କ ବିରୋଧରେ ଏହି ପରୱାନା ଜାରି କରାଯାଇଥିଲା। ଅନ୍ୟପକ୍ଷେ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଚିଠି ଲେଖିଛନ୍ତି। କିନ୍ତୁ ଏଯାଏ ଭାରତ ସରକାରଙ୍କ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking