ଲଣ୍ଡନ୍: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଛି । ଇଂଲଣ୍ଡ ସରକାରଙ୍କ ଶରଣାର୍ଥୀ ଆଇନକୁ ବିରୋଧ କରି ସଂଯୁକ୍ତ ରାଜ୍ୟ (ୟୁକେ)ରେ ସୃଷ୍ଟି ହୋଇଥିବା ଦଙ୍ଗା ଧୀରେ ଧୀରେ କରି ଗମ୍ଭୀର ରୂପ ନେବାରେ ଲାଗିଛି । ସପ୍ତାହେ ଧରି ଏପ୍ରକାର ସ୍ଥିତି ଲାଗୁ ରହିଛି । ବିଶେଷକରି ଗତ ଦୁଇ ଦିନ ରବିବାର ଓ ସୋମବାର ସହସ୍ରାଧିକ ଦଙ୍ଗାକାରୀ ମିଳିତ ଭାବେ ଉତ୍ତର ଇଂଲଣ୍ଡରେ ବସବାସ କରୁଥିବା ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛନ୍ତି । ଏଥିରେ ଅନେକ ଶରଣାର୍ଥୀ ଗୁରୁତର ଆହତ ହୋଇଛନ୍ତି ।
ପ୍ରକାଶ, ଗତ ସପ୍ତାହରେ ଉତ୍ତରପଶ୍ଚିମ ଇଂଲଣ୍ଡର ସାଉଥ୍ପୋର୍ଟରେ ଜଣେ ମୁସଲିମ୍ ଶରଣାର୍ଥୀ ତିନିଜଣ ଯୁବତୀଙ୍କୁ ଛୁରି ଭୁଷି ହତ୍ୟା କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶର ଶରଣାର୍ଥୀ ଆଇନକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାହାର ଦେଶର ଶରଣାର୍ଥୀଙ୍କୁ ଶରଣ ନଦେବା ଓ ଶରଣାର୍ଥୀଙ୍କୁ ଦେଶରୁ ତଡ଼ିବା ଦାବିରେ ଗତ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଆସୁଛି । ଆକ୍ରମଣକାରୀ ଜଣକ ଶରଣାର୍ଥୀ ନୁହନ୍ତି ବରଂ ବ୍ରିଟେନ୍ ଜନ୍ମିତ ବୋଲି ପୁଲିସର ସ୍ପଷ୍ଟୀକରଣ ପରେ ମଧ୍ୟ ଏହି ବିକ୍ଷୋଭ ତୀବ୍ର ରୂପ ନେଇଛି । ଦଙ୍ଗାକାରୀମାନେ, ଶରଣାର୍ଥୀଙ୍କ ମାଲିକାନାରେ ରୋଦରହାମ୍ ଓ ଟାମ୍ୱର୍ଥରେ ଥିବା ଦୁଇଟି ହୋଟେଲ୍କୁ ପୋଡ଼ିଦେଇଛନ୍ତି । ଏହାସହ ସେଠାରେ ଥିବା ସଂଖ୍ୟାଧିକ ଶରଣାର୍ଥୀଙ୍କ ଦୋକାନ, ମସଜିଦ୍ ଓ ଘରକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ସେହିପରି ଲିଭରପୁଲ୍, ହୁଲ୍, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍, ଷ୍ଟୋକ୍-ଅନ୍-ଟ୍ରେଣ୍ଟ, ବେଲ୍ପାଷ୍ଟ, ନଟିଂହାମ୍ ଏବଂ ମାଞ୍ଚେଷ୍ଟରରେ ଶନିବାର ପୁଲିସ୍ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଦଙ୍ଗା ନିୟନ୍ତ୍ରଣ ପାଇଁ ନିୟୋଜିତ ଅନେକ ପୁଲିସ କର୍ମୀ ବିକ୍ଷୋଭକାରୀଙ୍କ ସହ ଧସ୍ତାଧସ୍ତି ବେଳେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତେବେ ବ୍ରିଟେନ ପୋଲିସ ଇତିମଧ୍ୟରେ ଶତାଧିକ ଦଙ୍ଗାକାରୀଙ୍କୁ ଗିରଫ କଲାଣି । ହିଂସାକାଣ୍ଡ ପାଇଁ ପୋଲିସ ଇଂଲିଶ ଡିଫେନ୍ସ ଲିଗ୍କୁ ଦାୟୀ କରିଛି । ଏହି ଲିଗ୍ହେଉଛି ଇସ୍ଲାମ ବିରୋଧୀ ସଂଗଠନ ଯାହା ୧୫ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା ।
ଅପରପକ୍ଷେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଦଙ୍ଗାକୁ ନିନ୍ଦା କରିଛନ୍ତି । ତାଙ୍କ କହିବାନୁସାରେ ଏହା କୌଣସି ପ୍ରତିବାଦ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ରୂପେ ହିଂସାକାଣ୍ଡ । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଙ୍ଗାପଛରେ ତଥାକଥିତ ତୀବ୍ର ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିଭଳି ଦେଶର ଗୃହ ମନ୍ତ୍ରଣାଳୟ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ଦଙ୍ଗା ନିୟନ୍ତ୍ରଣ କରିବାକୁ ସେନା ନିୟୋଜିତ କରାଯିବ ନାହିଁ ବୋଲି ଷ୍ଟାର୍ମର ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ, ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍ କରୁଥିବା ଦଙ୍ଗାକାରୀମାନଙ୍କୁ କଠୋର ଶାସ୍ତି ଭୋଗିବାକୁ ପଡ଼ିବ । ମସ୍ଜିଦ ଏବଂ ମୁସଲମାନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ସୂଚନାଯୋଗ୍ୟ ବ୍ରିଟେନ୍ରେ ଏପ୍ରକାର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ଯାଉଥିବା ଭାରତୀୟଙ୍କୁ ବାରଣ କରୁଥିବା ବେଳେ ସେଠାରେ ଥିବା ନାଗରିକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ସମୟରେ ବ୍ରିଟେନ୍ ଉଡାଣକୁ ବନ୍ଦ କରିଦିଆଯାଇଛି ।
ସୂଚନାଯୋଗ୍ୟ ୨୦୧୧ରେ ଇଂଲଣ୍ଡରେ ଭୟାନକ ଦଙ୍ଗା ଦେଖାଦେଇଥିଲା । ପୁଲିସ ଗୁଳିରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ସୃଷ୍ଟି ହୋଇଥିବା ପ୍ରତିବାଦ ତୀବ୍ର ରୂପ ନେଇଥିଲେ । ଏହା ୬ ଅଗଷ୍ଟରୁ ୧୧ ଅଗଷ୍ଟ ଯାଏଁ ଚାଲିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୫ ଆହତ ହୋଇଥିଲେ । ପୁଲିସ ପ୍ରାୟ ୩ହଜାର ଲୋକଙ୍କୁ ଗିରଫ କରିଥିଲା । ୨୮୦୦ ଘର, ଦୋକାନ ଧ୍ୱସ୍ତ ହୋଇଥିଲା ।