26.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶହିଣ୍ଡେନବର୍ଗର ଆଉ ଏକ ଚେତାବନୀ; ଭାରତରେ ଖୁବଶୀଘ୍ର କିଛି ବଡ଼ ଘଟିବ

ହିଣ୍ଡେନବର୍ଗର ଆଉ ଏକ ଚେତାବନୀ; ଭାରତରେ ଖୁବଶୀଘ୍ର କିଛି ବଡ଼ ଘଟିବ

ନୂଆଦିଲ୍ଲୀ: ‘ଭାରତରେ ଖୁବ୍ ଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି।’ ଏଭଳି କିଛି ଚେତାବନୀ ଦେଇଛି ଆମେରିକୀୟ ଶର୍ଟ ସେଲର ବା କ୍ଷୁଦ୍ର ବିକ୍ରେତା ସଂସ୍ଥା (ଇନ୍‌ଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ) ହିଣ୍ଡନବର୍ଗ ରିସର୍ଚ୍ଚ। ଶନିବାର ସକାଳେ ସୋଶିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ’ରେ ପୋଷ୍ଟ କରି ଏହି ଆମେରିକୀୟ କମ୍ପାନୀ, ଭାରତୀୟ କମ୍ପାନୀ ସହ ଜଡ଼ିତ ଆଉ ଏକ ବଡ଼ ଖୁଲାସା କରିବାକୁ ଯାଉଥିବା ନେଇ ପୂର୍ବାଭାସ ଦେଇଛି। ତେବେ ହିଣ୍ଡନ୍‌ବର୍ଗର ଏପ୍ରକାର ଚେତାବନୀ ପୂର୍ଣ୍ଣ ପୋଷ୍ଟକୁ ନେଇ ଏବେ ଚାରିଆଡେ ଭୟ ସଞ୍ଚାର ହୋଇଛି। କାରଣ ହିଣ୍ଡନବର୍ଗ ଯେତେବେଳେ ବି ମୁହଁ ଖୋଲିଛି ସେତେବେଳେ ଏହାର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶକମାନେ ହରାଇଛନ୍ତି। ଏବେ ଯେତେବେଳେ ହିଣ୍ଡନବର୍ଗ ପୁଣିଥରେ ଏପ୍ରକାର କିଛି ଇସାରା କରିଛି ସେତେବେଳେ ଭାରତୀୟ ନିବେଶକ ତଥା କମ୍ପାନୀ ମାଲିକମାନେ ମାତ୍ରାଧିକ ଭୟଭୀତ ହୋଇପଡିଛନ୍ତି।

ହିଣ୍ଡନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, ସମଥିଙ୍ଗ୍ ବିଗ୍ ସୁନ୍ ଇଣ୍ଡିଆ’। ତେବେ ହିଣ୍ଡନବର୍ଗ କ’ଣ କରିବାକୁ ଯାଉଛି ଏବଂ କେଉଁ ବିଷୟରେ ଖୁଲାସା କରିବାକୁ ଯାଉଛି, ଯାହାଦ୍ୱାରା ଭାରତରେ କିଛି ବଡ଼ ଘଟଣା ଘଟିବ ବୋଲି କମ୍ପାନୀ ଏପ୍ରକାର ଦାବି କରୁଛି ସେସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିନ୍ତୁ କମ୍ପାନୀର ଏହି ଧାଡିକିଆ ପୋଷ୍ଟରୁ ଗୋଟିଏ କଥା ଅନ୍ତତଃ ସ୍ପଷ୍ଟ ହେଉଛି ଯେ, ହିଣ୍ଡନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀ କିମ୍ବା କିଛି ଭାରତୀୟ କମ୍ପାନୀଙ୍କ ବିଷୟରେ ଏଖ ବଡ଼ଧରଣର ଖୁଲାସା କରିବାକୁ ଯାଉଛି।

ଜାନୁଆରୀ ୨୦୨୩ରେ ହିଣ୍ଡନବର୍ଗ ରିସର୍ଚ୍ଚ ଗୌତମ ଅଦାନୀଙ୍କ କମ୍ପାନୀ ଅଦାନୀ ଗ୍ରୁପକୁ ଟାର୍ଗେଟ୍ କରି ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟକୁ ନେଇ ସେତେବେଳେ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। ହିଣ୍ଡନବର୍ଗ ରିସର୍ଚ୍ଚ ପକ୍ଷରୁ ଅଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଅଣାଯାଇଥିଲା। ତେବେ ଏସବୁ ଅଭିଯୋଗଜନିତ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଅଦାନୀ ଗ୍ରୁପ୍‌ର ସମସ୍ତ ସେୟାର ମୂଲ୍ୟ ଦ୍ରୁତ ଭାବେରେ ହ୍ରାସ ପାଇବାକୁ ଲାଗିଥିଲା। ଏପରିକି ଗୌତମ ଅଦାନୀ ବିଶ୍ୱର ୨ ନମ୍ବର ଧନୀ ତାଲିକାରୁ ୩୬ତମ ସ୍ଥାନକୁ ଖସି ଆସିଥିଲେ, କାରଣ ତାଙ୍କ ସମ୍ପତ୍ତି ରେକର୍ଡ ସଂଖ୍ୟକ ୮୬ ବିଲିଅନ୍ ଡଲାର ହ୍ରାସ ଘଟିଥିବା ରେକର୍ଡ କରାଯାଇଥିଲା। କେବଳ ସେତିକି ନୁହେଁ, ଅଦାନୀ ଗ୍ରୁପ୍‌ର ବିଦେଶୀ ତାଲିକାଭୁକ୍ତ ବଣ୍ଡ୍ ବିକ୍ରିକୁ ମଧ୍ୟ ଏହି ରିପୋର୍ଟ ଗୁରୁତର ଭାବେ ପ୍ରଭାବିତ କରିଥିଲା। ସେପଟେ ଅଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗର ଏହି ରିପୋର୍ଟକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ହିଣ୍ଡେନବର୍ଗର ଏହି ରିପୋର୍ଟ ପରେ ଭାରତର ପୁଞ୍ଜି ବଜାର ନିୟାମକ ସେବି କମ୍ପାନିକୁ ଭାରତୀୟ ନିୟମ ଉଲ୍ଲଂଘନ ପାଇଁ ଏକ ବିଜ୍ଞପ୍ତି ବା ନୋଟିସ୍ ଜାରି କରିଥିଲା। ଅନ୍ୟପକ୍ଷେ ଏହାର ଜବାବରେ ଚଳିତ ବର୍ଷ ଜୁନ୍‌ରେ ହିଣ୍ଡନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ କରାଯାଇଥିଲା ଯେ, ଭାରତୀୟ ପୁଞ୍ଜି ବଜାର ନିୟାମକ, ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଏହା ବିରୋଧରେ ଭାରତୀୟ ନିୟମ ଉଲ୍ଲଂଘନ କରିଥିବା ନୋଟିସ୍ ଜାରି କରିଛି।

ସେବି ନୋଟିସ୍‌କୁ ନିରର୍ଥକ ଦର୍ଶାଇବା ପୂର୍ବକ ହିଣ୍ଡେନବର୍ଗ କହିଥିଲା ଯେ ଦୁର୍ନୀତି ଏବଂ ଠକେଇର ଖୁଲାସା କରୁଥିବା ଲୋକଙ୍କୁ ନୀରବ କରିବା ଏବଂ ଭୟଭୀତ କରିବା ପାଇଁ ଏହି ବିଜ୍ଞପ୍ତି ହେଉଛି ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରୟାସ। ସେହିପରି ଏହି ଘଟଣା ପରେ ପରେ ହିଣ୍ଡନବର୍ଗ ଏହାର ଅନ୍ୟତମ ରିପୋର୍ଟରେ କୋଟାକ୍ ବ୍ୟାଙ୍କରେ ଅନିୟମିିତତା ହୋଇଥିବା ନେଇ ମଧ୍ୟ ଦର୍ଶାଇଥିଲା। ପରିଣାମସ୍ୱରୂପ, କୋଟାକ୍ ବ୍ୟାଙ୍କର ଷ୍ଟକ୍ ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ବାଣିଜ୍ୟ ଅଧିବେଶନରେ ଜୁନ୍ ଠାରୁ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଥିଲା। ପରେ ହିଣ୍ଡନ୍‌ବର୍ଗ ନିଜର ଏକ ରିପୋର୍ଟରେ ସେବିର ସ୍ୱଚ୍ଛତା ତଥା କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା। ପ୍ରକାଶ, ୨୦୧୭ରେ ନାଥନ୍ ଆଣ୍ଡରସନ୍‌ଙ୍କ ଦ୍ୱାରା ହିଣ୍ଡନବର୍ଗ ରିସର୍ଚ୍ଚ ନାମରେ ଏକ ଇନ୍‌ଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ପ୍ରତିଷ୍ଠା କରାଯାଇଥିଲା। ଏହି କମ୍ପାନୀ ବିଶ୍ୱସ୍ତରରେ ହେଉଥିବା ପୁଞ୍ଜିଗତ କାରବାର ତଥା ନିବେଶ ଉପରେ ସତର୍କ ନଜର ରଖିଥାଏ ଏବଂ ନିବେଶ କ୍ଷେତ୍ରରେ ହେଉଥିବା ଧୋକାଧାଡ଼ି ସମ୍ପର୍କିତ ରିପୋର୍ଟ ସମୟେ ସମୟେ ପ୍ରକାଶ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking