କନ୍ଧମାଳ: ହାତୀ ଆକ୍ରମଣରେ ପୁଣି ଜଣେ ମୃତ । ଟିକାବାଲି ବ୍ଲକ ସାରଂଗଡ ଥାନା ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ସିନ୍ଦୁରଗାଡା ନିକଟ ରାଜେନବାଡି ଦାନିପାଙ୍ଗି ଜଙ୍ଗଲରେ ଆଜି ଭୋରରୁ ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ, ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପୋଙ୍ଗା ଗ୍ରାମ ତଡା ପାହାଡର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁ ବରଣ କରିଥିଲେ । ସୂଚନା ଅନୁସାରେ ୩ ଗ୍ରାମବାସୀ ଜଙ୍ଗଲରୁ ଯାଇଥିଲେ । ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା । ୩ ଜଣଙ୍କ ମଧ୍ୟରୁ ଜଣେ ପ୍ରାଣ ବିକଳରେ ଦୌଡି ପଳାଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଦୌଡି ପାରିନଥିଲେ । ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଗତ ଦୁଇ ଦିନ ହେବ ଆଖପାଖ ଜଙ୍ଗଲରେ ହାତୀ ଥିବା ନେଇ ଆଲୋଚନା ହେଉଥିଲା । ଗତକାଲି ହାତୀ ।କ୍ରମଣରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଯାଇ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଥାନୀୟ ବନ ଅଧିକାରୀ ।










