ଗାଜା: ଗାଜାଷ୍ଟ୍ରିପ୍ରେ ଇସ୍ରାଏଲ ସେନାର ଆକ୍ରମଣ ଅବ୍ୟାହତ ରହିଛି । ରବିବାର ସକାଳୁ ସୋମବାର ସନ୍ଧ୍ୟା ମଧ୍ୟରେ ଇସ୍ରାଏଲ୍ ପକ୍ଷରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ କରାଯାଇଛି । ଏଥିରେ ୧୦୦ ନୀରିହ ପାଲେଷ୍ଟାଇନ୍ ନାଗରିକ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ସାମିଲ ଥିବା ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ ପିଲାମାନେ ସୋମବାର ଏଠାରେ ପିଇବା ପାଣି ସଂଗ୍ରହ କରିବାକୁ ଏକତ୍ର ହୋଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ ସେନା । ଏହି ଆକ୍ରମଣେ;ର ୨୦୦ରୁ ଊର୍ଦ୍ଧ୍ୱ ନାଗିରକ ଗୁରୁତର ଆହତ ହୋଇଛନ୍ତି । ତେବେ ସଦ୍ୟ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ ମିଶାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତକଙ୍କ ସଂଖ୍ୟା ୫୮୦୦୦ରେ ପହଞ୍ଚିଛି ।
ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜା ସହରର ଏକ ବଜାରରେ କ୍ଷେପଣାସ୍ତ୍ର ମାଡ କରିଥିଲା । ଯେଉଁଥିରେ ଚିକିତ୍ସା ପରାମର୍ଶଦାତା ଅହମ୍ମଦ କଣ୍ଡିଲଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ସବୁଠାରୁ ଭୟଙ୍କର ଆକ୍ରମଣ ନୁସେରାତ ଶରଣାର୍ଥୀ ଶିବିରରେ ହୋଇଥିଲା । ଯେଉଁଠାରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗାଜାଷ୍ଟ୍ରିପ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଇସ୍ରାଏଲ୍ ସେନା କରିଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଘରଦ୍ୱାର ସବୁ ନଷ୍ଟ ହୋଇଯାଇଥିବା ବେଳେ ଚାରିଆଡେ କେବଳ ଆର୍ତ୍ତ ଚିତ୍କାର ଶୁଭୁଥିବା ଗ୍ରାଉଣ୍ଡ ରିପୋର୍ଟ ହୋଇଛି । ଏହି ଆକ୍ରମଣ ଉପରେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ଏବେ ଗାଜାର ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରାଯାଉଛି ।
ତେବେ ଇସ୍ରାଏଲ୍ ସେନା ଏହି ପରିପ୍ରେକ୍ଷୀରେ ନିଜ ତ୍ରୁଟିକୁ ସ୍ୱୀକାର କରିଛି । ଇସ୍ରାଏଲ୍ ସେନା କହିଛି ରବିବାର ସକାଳେ ପାଲେଷ୍ଟାଇନୀ ସେନାର ବିମାନ ଘାଟୀ ଉପରେ ଟାର୍ଗେଟ କରିଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ଷେପଣାସ୍ତ୍ରଟି ଭୁଲ୍ ବାଟରେ ଯାଇ ପିଲାମାନଙ୍କ ଉପରେ ପଡିଥିଲା । ଏହାକୁ ନେଇ ଇସ୍ରାଏଲ ମଧ୍ୟ ଦୁଃଖ ପ୍ରକାଶ କରିଛି । ପ୍ରକାଶ, ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ବାସ କରୁଥିବା ୨୦ ଲକ୍ଷ ପାଲେଷ୍ଟାଇନ ନାଗରିକ ଖାଦ୍ୟ ପାଇଁ ରେଡକ୍ରସ ପକ୍ଷରୁ ଖୋଲାଯାଇଥିବା ରିଲିଫ୍ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ତେବେ ରିଲିଫ୍ କେନ୍ଦ୍ର ଉପରେ ହିଁ ଇସ୍ରାଏଲ୍ ସେନା ବରାବର ଆକ୍ରମଣ କରୁଥିବା ଜାତିସଂଘ, ମାନବାଧିକାର ସଂଗଠନ ଏବଂ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଆସୁଛନ୍ତି ।










