ବାଂଲାଦେଶ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା। ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ ପରେ ପୋଡି ମାରିଦେଲେ। ସୋମବାର ରାତିରେ ଉପଜିଲ୍ଲାର ବୋଗାର ବଜାର ଛକରେ ଏହି ଘଟଣା ଘଟିଥିଲା। ସୂଚନା ଅନୁସାରେ, ସୁସେନ ଚନ୍ଦ୍ର ସରକାର ‘ଭାଇ ଭାଇ ଏଣ୍ଟରପ୍ରାଇଜ’ର ମାଲିକ ଏବଂ ସାଉଥକାଣ୍ଡା ଗାଁର ବାସିନ୍ଦା ଥିଲେ। ଆକ୍ରମଣକାରୀମାନେ ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି, ତାଙ୍କୁ ଦୋକାନ ଭିତରେ ଛାଡି ଦେଇଥିଲେ ଏବଂ ସଟର ବନ୍ଦ କରିଦେଇଥିଲେ। ସରକାର ବିଳମ୍ବିତ ରାତି ଯାଏଁ ଘରକୁ ଫେରିଲେ ନାହିଁ, ତାଙ୍କ ପରିବାର ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଯେତେବେଳେ ସେମାନେ ଦୋକାନର ସଟର ଖୋଲିଲେ, ସେତେବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ।
ସରକାରଙ୍କୁ ତୁରନ୍ତ ମିମେନସିଂ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀଡିତଙ୍କ ପୁଅ ସୁଜନ ସରକାର କହିଛନ୍ତି ଯେ ଆମର ବହୁତ ଦିନ ଧରି ଚାଉଳ ବ୍ୟବସାୟ ଅଛି। ଆମ ସହିତ କାହାର କୌଣସି ଶତ୍ରୁତା ନଥିଲା। ଅପରାଧୀମାନେ ମୋ ବାପାଙ୍କୁ ନିର୍ମମ ଭାବରେ ହତ୍ୟା କରିବା ପରେ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି କରି ନେଇଥିଲେ। ତାଙ୍କ ପିତାଙ୍କ ହତ୍ୟାକାରୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।ସରକାରଙ୍କ ହତ୍ୟା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରି ହିଂସାର ସଦ୍ୟତମ ଘଟଣା। ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି।










