ନୂଆଦିଲ୍ଲୀ: ଭାରତର ଅପରେଶନ ସିନ୍ଦୂର’ର ପ୍ରଥମ ପର୍ଯ୍ୟାୟ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯାଇଥିଲା । ଆକ୍ରମଣର ୫ ମିନିଟ୍ ପରେ ଏସମ୍ପର୍କରେ ପାକିସ୍ତାନକୁ ସୂଚନା ଦେବା ଉଦ୍ଦେଶ୍ୟରେ ଏହି ଫୋନ୍ କରାଯାଇଥିଲା । ଏସମ୍ପର୍କରେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ କହିଛନ୍ତି । ଚୌହାନ୍ଙ୍କ କହିବାନୁସାରେ ଏହି ସମୟରେ ହିଁ ଭାରତ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲା ଯେ, ଭାରତୀୟ ସେନା ନିଜ କାମ ଅତ୍ୟନ୍ତ ସତର୍କତା ପୂର୍ବକ କରିସାରିଛି । କୌଣସି ସାଧାରଣ ଲୋକଙ୍କ ଜୀବନ ପ୍ରତି ଆଞ୍ଚ୍ ଆଣିବା ବିନା କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରାଯାଇଛି । ଏହାକୁ ନେଇ ଯଦି ପାକିସ୍ତାନ ପଟୁ ପାଲଟା ଆକ୍ରମଣ ହୁଏ ତେବେ ଭାରତ ପକ୍ଷରୁ ଅଧିକ କଡ଼ା ଜବାବ ଦିଆଯିବ ।
ସିଡିଏସ ଚୌହାନ ସମ୍ପ୍ରତି ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର ‘ଭବିଷ୍ୟତ ଯୁଦ୍ଧ ଏବଂ ଯୁଦ୍ଧ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସେ କହିଛନ୍ତି, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ୫ମିନିଟ ପରେ ଡିଜିଏମଓ ପାକିସ୍ତାନୀ ପକ୍ଷକୁ ସୂଚନା ଦେଇଥିଲେ । ସିଡିଏସ୍ଙ୍କ କହିବାନୁସାରେ ପାକିସ୍ତାନ ଭାବିଥିଲା ଯେ ୪୮ ଘଣ୍ଟା ଧରି ଭାରତ ବିରୋଧରେ ସାମରିକ ଅଭିଯାନ ଜାରି ରଖିବ ଏବଂ ଭାରତକୁ ପରାସ୍ତ କରିବ । କିନ୍ତୁ ଭାରତର ପ୍ରଚଣ୍ଡ ଆକ୍ରମଣ ଆଗରେ ପାକିସ୍ତାନ ମାତ୍ର ୮ ଘଣ୍ଟାରେ ହିଁ ପରାଜୟ ସ୍ୱୀକାର କରିଥିଲା । ମେ ୧୦ ତାରିଖ ରାତିରେ ପାକିସ୍ତାନ ଅନୁଭବ କଲା ଯେ ଯଦି ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହେ, ତେବେ ତାକୁ ଅନେକ କିଛି କ୍ଷତି ସହିବାକୁ ପଡ଼ିବ ।’ ଫଳରେ ପାକିସ୍ତାନ ଡିଜିଏମ୍ଓ ପକ୍ଷରୁ ଭାରତକୁ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ବିଷୟରେ ସିଡିଏସ୍ ଚୌହାନ କହିଛନ୍ତି, ପହଲଗାମରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ନିଷ୍ଠୁରତା ଥିଲା । ଆକ୍ରମଣରେ ନିହତ ଲୋକଙ୍କ ପରିବାର ଏବଂ ପିଲାମାନଙ୍କ ସାମ୍ନାରେ ଧର୍ମ ନାମରେ ଗୁଳି କରାଯାଇଥିଲା । ଏହା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ । ଏହା ସମାଜରେ ଘୃଣା ସୃଷ୍ଟି କରିଥିଲା । ଏହା ଭାରତରେ ପ୍ରଥମ ଆତଙ୍କବାଦୀ ଘଟଣା ନଥିଲା । ଏହା ପୂର୍ବରୁ ଦେଶ ଅନେକ ଆତଙ୍କବାଦୀ ଆକ୍ରମଣ ଦେଖିଛି । ଭାରତ ସର୍ବାଧିକ ଆତଙ୍କବାଦୀ ଘଟଣାର ଶିକାର ହୋଇଛି ଏବଂ ଏହା ଯୋଗୁ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତ ଏବେ ଆତଙ୍କବାଦ ବିରୋଧରେ ଅଧିକ କଠୋରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।