ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରୁ ଏକ ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବଡ଼ ଧରଣର ଚିଟ୍ ଫଣ୍ଡ୍ ଘୋଟାଲା ହୋଇଥିବା ଜଣାପଡିଛି । କେରଳର ଏକ ଦମ୍ପତି ଏହି ଚିଟ୍ ଫଣ୍ଡ୍ ସ୍କାମ୍ର ମୁଖ୍ୟ ସୂତ୍ରଧର ରହିଥିବା ବେଳେ ସେମାନେ ଏବେ ଫେରାର ହୋଇଯାଇଛନ୍ତି । ଲୋକଙ୍କୁ ସ୍ୱପ୍ନ ଦେଖାଇ ସେମାନଙ୍କ ଅର୍ଥକୁ ସେମାନେ ହଡପ୍ କରି ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ କେରଳ ବାସିନ୍ଦା ଟମି ଏବଂ ତାଙ୍କ ପତ୍ନୀ ସାଇନି ଗତ ୨୫ ବର୍ଷ ଧରି ବେଙ୍ଗାଲୁରୁ ସହରରେ ରହିଆସୁଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ଉଭୟ ଏଠାରେ ଏ ଆଣ୍ଡ୍ ଏ’ ନାମରେ ଏକ ଚିଟ୍ଫଣ୍ଡ୍ ସଂସ୍ଥା ଖୋଲିଥିଲେ ଏବଂ ଲୋକଙ୍କୁ ୨୧ ଦିନରେ ସେମାନଙ୍କ ଅର୍ଥ ଦ୍ୱିଗୁଣ ହେବାର ଲୋଭ ଦେଖାଇ ଅଧିକରୁ ଅଧିକ ନିବେଶ କରିବାକୁ ପ୍ରଲୋଭିତ କରୁଥିଲେ । ଲୋକମାନେ ମଧ୍ୟ ଅଧିକ ରିଟର୍ଣ୍ଣ ପାଇବା ଲୋଭରେ ସେମାନଙ୍କର ଜୀବନ ସଞ୍ଚୟ, ପିଲାମାନଙ୍କ ଶିକ୍ଷା, ଚିକିତ୍ସା ଖର୍ଚ୍ଚ ଏବଂ ବିବାହ ପାଇଁ ରଖାଯାଇଥିବା ଟଙ୍କା ନିବେଶ କରିବାକୁ ମଧ୍ୟ ପଛାଇନଥିଲେ । ପ୍ରଥମେ ପ୍ରଥମେ ଏମାନେ ଲୋକମାନଙ୍କ ବିଶ୍ୱାସ ଜିତିବା ଉଦ୍ଦେଶ୍ୟରେ ଭଲ ତଥା ସ୍ଥିର ରିଟର୍ଣ୍ଣ ମଧ୍ୟ ଫେରସ୍ତ ଦେଉଥିଲେ । ଯେତେବେଳେ ଲୋକମାନେ ଏହି ସଂସ୍ଥା ଉପରେ ବିଶ୍ୱାସ କରି ଅଧିକରୁ ଅଧିକ ଅର୍ଥ ନିବେଶ କରିବା ଆରମ୍ଭ କଲେ ସେତେବେଳେ ଏମାନେ ନିଜର ପ୍ରକୃତ ଖେଳ ଖେଳିଥିଲେ । ଲୋକଙ୍କୁ ରିଟର୍ଣ୍ଣ ମିଳିବା ବନ୍ଦ ହୋଇଯାଇଥିଲା । ଯେତେବେଳେ କିଛି ଲୋକ ଅଫିସ୍କୁ ଆସିଲେ ସେଠାରେ ଏବେ ଆଉ କିଛି ବି ନଥିବା ଦେଖିବାକୁ ପାଇଥିଲେ । ସଂସ୍ଥାର କୌଣସି କର୍ମଚାରୀଙ୍କ ଫୋନ୍ ମଧ୍ୟ ଏବେ ଲାଗୁନଥିବା ଜଣାପଡିଛି ।
ପୁଲିସ୍ ରିପୋର୍ଟ ଅନୁସାରେ ୩ଜଣ ବ୍ୟକ୍ତି ନିଜର ସବୁକିଛି ଘରଦ୍ୱାର, ଜମିବାଡି ବିକ୍ରି କରି ଏହି ଚିଟ୍ ଫଣ୍ଡ୍ କମ୍ପାନୀରେ ୧ କୋଟି ଟଙ୍କା ନିବେଶ କରିଥିଲେ ଏବଂ ଆଶା କରିଥିଲେ ଯେ ମାତ୍ର ୨୧ ଦିନ ମଧ୍ୟରେ ସେମାନେ ୨ କୋଟି ଟଙ୍କା ପାଇଯିବେ ବୋଲି । କିନ୍ତୁ ଏବେ ସେମାନେ ସର୍ବଶ୍ୱ ହରାଇସାରିଥିବା ଭଲଭାବେ ବୁଝିପାରିଛନ୍ତି । କେରଳର ଟମି ଏବଂ ସାଇନି ନାମକ ଏକ ଦମ୍ପତି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଶହ ଶହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ଠକ ଦମ୍ପତି ଜୁଲାଇ ୩ରୁ ନିଖୋଜ ଅଛନ୍ତି । ପ୍ରାଥମିକ ତଦନ୍ତରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ନିବେଶକ ଏହି ଠକ ଦମ୍ପତିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି । ଟମି ଏବଂ ସାଇନିଙ୍କ ସନ୍ଧାନ ପାଇଁ ପୁଲିସ୍ ଟିମ୍ ଅଭିଯାନ ଆରମ୍ଭ କରିଛି । କେରଳ ପୁଲିସ୍ଙ୍କ ସହ ମଧ୍ୟ ଯୋଗାଯୋଗ କରିଛି ବେଙ୍ଗାଲୁରୁ ପୁଲିସ୍ । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ସେମାନେ ନିଖୋଜ ହେବା ପୂର୍ବରୁ ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବିକ୍ରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।










